ରାଜ୍ୟର ସରକାରୀ ସ୍କୁଲର ସ୍ଥିତି ଏମିତି? କେଉଁଠି ବିଜୁଳି ନାହିଁ ତ ପୁଣି କେଉଁଠି ନାହିଁ କଳାପଟା, ମନ୍ତ୍ରୀଙ୍କ ଉତ୍ତର ପରେ ପଦାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ।

673

କନକ ବ୍ୟୁରୋ : ରାଜ୍ୟର ସରକାରୀ ସ୍କୁଲର ସ୍ଥିତି ଏମିତି । କେଉଁଠି ସ୍କୁଲରେ ବିଜୁଳି ବ୍ୟବସ୍ଥା ନାହିଁ ତ ପୁଣି କେଉଁଠି କଳାପଟା ନାହିଁ । ଯାହା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି । ରାଜ୍ୟରେ ଥିବା ସ୍କୁଲ ଗୁଡିକର ସ୍ଥିତି କେମିତି ରହିଛି ତାହାର ସମସ୍ତ ତଥ୍ୟ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟର ଥିବା ସରକାରୀ ପ୍ରାଥମିକ ସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ ଓ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି କିଭଳି ରହିଛି । ଏପରିକି କେତେ ସଂଖ୍ୟକ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଛାଡି ଘରୋଇ ବିଦ୍ୟାଳୟ ଯାଇଛନ୍ତି ସେ ବାବଦରେ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ ।

ଆଉ ଏହାର ଉତ୍ତରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟରେ ଥିବା ସମସ୍ତ ୫୧୪୩୪ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪୩୯୪ ସ୍କୁଲରେ ପାଣି ସହ ଶୌଚାଳୟ ବ୍ୟବସ୍ଥା ନାହିଁ । ସେହିଭଳି ୩୫୬୭୯ଟି ବିଦ୍ୟାଳୟରେ ବିଜୁଳିର ବ୍ୟବସ୍ଥା ନାହିଁ । ୩୭୬୪୫ଟି ସ୍କୁଲରେ ଖେଳ ପଡିଆ ନାହିଁ । ୨୪୫୧ଟି ସ୍କୁଲରେ ପାଠାଗାର ନାହିଁ । ସବୁଠୁ ବଡ କଥା ହେଲା, ୯୦ଟି ବିଦ୍ୟାଳୟରେ କଳାପଟା ନଥିବା ବେଳେ ୧୬୩୬୮ଟି ବିଦ୍ୟାଳୟରେ ପାଚେରୀ ନାହିଁ ।