ଦଳିତଙ୍କ ଚାପ ଆଗରେ ନଇଁଲେ ସରକାର : ଏସସି-ଏସଟି ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ଯଥାରୀତି କାଏମ ରଖିବାକୁ ନିଷ୍ପତ୍ତିି

20

କନକ ବ୍ୟୁରୋ : ଦଳିତଙ୍କ ଚାପ ଆଗରେ ନଇଁଲେ ସରକାର । ଏସସି-ଏସଟି ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ଯଥାରୀତି କାଏମ ରଖିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏ ନେଇ ସୁପ୍ରିମକୋର୍ଟ ମାର୍ଚ୨୦ରେ ଦେଇଥିବା ରାୟକୁ ଅଚଳ କରିବାକୁ ସରକାର ମୌସୁମୀ ଅଧିବେଶନରେ ବିଲ ଆଗତ କରିବେ । ଏ ବାବଦ ବିଲକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ସୁପ୍ରମିକୋର୍ଟ ଏସ-ଏସଟି ନିବାରଣ ଆଇନରେ ଅଭିଯୁକ୍ତର ତତ୍କାଳୀନ ଗିରଫଦାରୀ ଉପରେ ରୋକ ଲଗାଇଥିଲେ । ଅଭିଯୋଗର ତଦନ୍ତ ଉପର ଅଧିକାରୀଙ୍କ ଦ୍ୱାରା ହେବା ପରେ ହିଁ ଗିରଫ ନେଇ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିଲେ ।

ଏହାକୁ ନେଇ ଦେଶବ୍ୟାପୀ ଦଳିତ ସଙ୍ଗଠନଗୁଡିକ ଜୋରଦାର ବିରୋଧ କରିଥିଲେ । ଏନଡିଏ ସହଯୋଗୀ ମଧ୍ୟ ସୁପ୍ରିମକୋର୍ଟ ରାୟକୁ ବିରୋଧ କରି ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ । ଦଳିତ ଅସନ୍ତୋଷକୁ ପ୍ରଶମନ କରିବାକୁ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ମଞ୍ଜୁରୀ ଦେଇଛି । ବିଲ ପାର୍ଲାମେଂଟରେ ପାରିତ ହେଲେ ସୁପ୍ରିମକୋର୍ଟଙ୍କ ରାୟ ଅଚଳ ହୋଇଯିବ । ସୁପ୍ରିମକୋର୍ଟ କହିଥିଲେ ସଂସଦ ମଧ୍ୟ ଉଚିତ ପ୍ରକ୍ରିୟା ନଥାଇ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅନୁମତି ଦେଇପାରିବ ନାହିଁ । ଅଭିଯୋଗର ପ୍ରଥମେ ଯାଂଚ ନକରି ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କଲେ ଏହା ବ୍ୟକ୍ତି ସ୍ୱତନ୍ତ୍ରତା ଓ ମୌଳିକ ଅଧିକାରର ବଡ ଉଲ୍ଲଙ୍ଘନ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ । ତେବେ ଦଳିତ ସଙ୍ଗଠନଗୁଡିକର ପ୍ରବଳ ବିରୋଧ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି ଓ ଏସଏସଟି ନିର୍ଯ୍ୟାତନା ଆଇନ ନେଇ ପୂର୍ବରୁ ଯେଉଁ ସ୍ଥିତି ରହିଥିଲା ତାହାକୁ ହିଁ କାଏମ ରଖାଯିବ ବୋଲି ନିଷ୍ପତି ହୋଇଛି ।