ଅର୍ଥନୀତି ଅଭିବୃଦ୍ଧି ହ୍ରାସ ! ସରକାରଙ୍କୁ ଘାରିଲା ଚିନ୍ତା

68

କନକ ବ୍ୟୁରୋ : ଅର୍ଥନୀତିର ଅଭିବୃଦ୍ଧି ହ୍ରାସ ପାଉଛି । ସରକାରଙ୍କୁ ଏବେ ଏହି ଚିନ୍ତା ଘାରିଛି । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଏହି ପରିପ୍ରେକ୍ଷୀରେ ଗତକାଲି ନବଗଠିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ(ପିଏମ୍‌ଇଏସି)ର ପ୍ରଥମ ବୈଠକରେ ୧୦ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି । ପରିଷଦ ଚିହ୍ନଟ କରିଥିବା ୧୦ଟି କ୍ଷେତ୍ର ହେଲା ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି, ଅସଙ୍ଗଠିତ କ୍ଷେତ୍ର ଏବଂ ଏହାର ସମନ୍ଵୟ, ବିତ୍ତୀୟ ଢାଞ୍ଚା, ମୁଦ୍ରାନୀତି, ସରକାରୀ ବ୍ୟୟ, ଆର୍ଥିକ ଶାସନ ପ୍ରତିଷ୍ଠାନ, କୃଷି ଏବଂ ପଶୁ ସମ୍ପଦ, ସାମାଜିକ କ୍ଷେତ୍ର ଏବଂ ବ୍ୟୟ ଓ ଉତ୍ପାଦନ ଧାରା । ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ସରକାରଙ୍କୁ ବିତ୍ତୀୟ ଶୃଙ୍ଖଳାକୁ ନେଇ ଯେଉଁ ନକ୍ସା ପ୍ରସ୍ତୁତ ହୋଇଛି ତାହାରି ଅନୁଯାୟୀ କାର୍ଯ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି । ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ପ୍ୟାକେଜ ଘୋଷଣା ହେବ ତାହା ଆର୍ଥିକ ଶୃଙ୍ଖଳା ବିନିମୟରେ ହେବା ଉଚିତ ନୁହେଁ ବୋଲି ପରିଷଦ ସ୍ପଷ୍ଟ କରିଦେଇଛି ।

ବିତ୍ତୀୟ ଶୃଙ୍ଖଳାରୁ ହଟିବା ଉଚିତ ନୁହେଁ ବୋଲି ପରିଷଦର ସବୁ ସଦସ୍ୟ ସହମତ ଥିବା ବିଷୟ ବୈଠକ ପରେ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାର ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ପରିପ୍ରେକ୍ଷୀରେ ପରିଷଦ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏଥିସହିତ ଦେବରାୟ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ବିଷୟ ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ପରିଷଦ ଚିହ୍ନଟ କରିଛି। ସରକାର ଆସନ୍ତା ଫେବ୍ରୁଆରି ପ୍ରଥମ ସପ୍ତାହରେ ବଜେଟ ଉପସ୍ଥାପନ କରିବେ । ତେଣୁ ଆସନ୍ତା କିଛିମାସ ପାଇଁ ପରିଷଦ ଆଗାମୀ ବଜେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି ।

ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପରିଷଦ ଗଠନ ହୋଇଛି । ଗତକାଲି ପରିଷଦର ସଦସ୍ୟଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଥିବାବେଳେ ଆଜି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।  ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ବ୍ୟତୀତ ଆଜିର ବୈଠକରେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଯୋଗଦେଇ ଅର୍ଥନୀତି ସପଂର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।  ପରିଷଦର ଆଜି ପ୍ରଥମ ଅନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଅଂଶଧାରୀଙ୍କ ସହିତ ଆଲୋଚନା ଜାରି ରହିବ । ଏଥିସହିତ ଆସନ୍ତାମାସରେ ପରିଷଦର ଆଉ ଏକ ଆନୁଷ୍ଠାନିକ ବୈଠକ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସୁପାରିସମାନ କରାଯିବ ବୋଲି ଦେବରାୟ କହିଛନ୍ତି ।

ଏତଦ୍‌ ବ୍ୟତୀତ ଅର୍ଥନୀତିର ପ୍ରମୁଖ ମାନଦଣ୍ଡ ଗୁଡ଼ିକୁ ଠିକ୍‌ ଭାବେ ଅନୁଧ୍ୟାନ କରିବା ସହିତ ସେଗୁଡ଼ିକର ବିଶ୍ଳେଷଣ କରି ଅର୍ଥନୀତିର ବିକାଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଲାଗି ପରିଷଦ କହିଛି । ବିମୁଦ୍ରାକରଣ ପାଇଁ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି ବୋଲି ପରିଷଦ ଆଜିର ବୈଠକରେ ସ୍ୱୀକୃତି ଦେଇଛି କି ବୋଲି ପ୍ରଶ୍ନ ହେବାରୁ ଦେବରାୟ କହିଲେ ମାନ୍ଦାବସ୍ଥାର କାରଣ ଗୁଡ଼ିକ ସମ୍ପର୍କରେ ପରିଷଦ ସହମତ ହୋଇଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ମାନ୍ଦାବସ୍ଥାର କାରଣ କଣ ସେ ନେଇ କିଛି କହି ନଥିଲେ ।

ମୁଦ୍ରାନୀତି ସମ୍ପର୍କରେ ଦେବରାୟ କହିଲେ, ରିଜର୍ଭ ବ୍ୟାଙ୍କ ସହିତ ବିଚାରବିମର୍ଶ କରି ଏହି କାର୍ଯ୍ୟ କରାଯିବ । ପରିଷଦ ଏ ନେଇ ଯେଉଁ ସଂସ୍କାର କରିବ ତାହା ଢାଞ୍ଚାଗତ ଦୃଷ୍ଟିରୁ ହେବ ବୋଲି ସେ କହିଛନ୍ତି । ଏଥିସହିତ ପରିଷଦ କୃଷି ଏବଂ ସାମାଜିକ କ୍ଷେତ୍ର ଉପରେ ମଧ୍ୟ ବିଭିନ୍ନ ସୁପାରିସ ମାନ ସରକାରଙ୍କୁ କରିବ । ବିଭିନ୍ନ ସଂସ୍ଥା ସହ ବିଚାରବିମର୍ଶ କରି ପରିଷଦ କାର୍ଯ୍ୟ କରିବ । ନିତି ଆୟୋଗ ନିକଟରେ ଥିବା ସମ୍ବଳକୁ ମଧ୍ୟ ଏସବୁ କାର୍ଯ୍ୟରେ ବିନିଯୋଗ କରାଯିବ । ଚଳିତବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬.୭ ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଗତକାଲି ଯେଉଁ ଆକଳନ କରିଛି ସେହି ଆକଳନ ପ୍ରତି ପରିଷଦର ସଦସ୍ୟ ରଥିନ ରାୟ ସହମତ ହୋଇନାହାନ୍ତି । ୮୦ ପ୍ରତିଶତ କ୍ଷେତ୍ରରେ ଆଇଏମ୍‌ଏଫ୍‌ର ଆକଳନ ଠିକ୍‌ ହୋଇ ନଥାଏ ବୋଲି ସେ କହିଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ ପରିଷଦର ଅନ୍ୟ ସଦସ୍ୟମାନେ ହେଲେ ସୁରଜିତ ଭାଲା, ଅସୀମା ଗୋୟଲ ଏବଂ ରତନ ଓ୍ଵାତଲ ।