ପୁଣି ନଗଦ କାରବାର ଉପରେ କଠୋର ହେଲେ ସରକାର ! ୩ ଲକ୍ଷ ନୁହେଁ ୨ ଲକ୍ଷରୁ ଅଧିକ ନଗଦ ନେଣଦେଣ ଉପରେ ଶହେ ପ୍ରତିଶତ ଜରିମାନା

41

କନକ ବ୍ୟୁରୋ : ନଗଦ କାରବାର ଉପରେ ଆହୁରି କଠୋର ହୋଇଛନ୍ତି ସରକାର । ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଓ ଦୁର୍ନୀତି ରୋକିବା ପାଇଁ ନିଷିଦ୍ଧ ହେବ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ନେଣଦେଣ । ଯଦି କେହି ନିୟମ ଉଲଘଂନ କରି ୨ ଲକ୍ଷରୁ ଅଧିକ ନଗଦ କାରବାର କରିବେ, ଏଥିପାଇଁ ୧୦୦ ପ୍ରତିଶତ ଜରିମାନା ଦେବାକୁ ପଡିବ । ସାଧାରଣ ବଜେଟରେ ଏହା ୩ ଲକ୍ଷରୁ ଅଧିକ କ୍ୟାସ କାରବାର ଉପରେ କଟକଣା ଲଗାଯାଇଥିଲା ।

ତେବେ ସରକାର ଅର୍ଥ ବିଲରେ ସଂଶୋଧନ ପ୍ରସ୍ତାବରେ ଏହାକୁ ୨ ଲକ୍ଷ କରାଯାଇଛି । ଆୟକର ଆଇନରେ ସଂଶୋଧନ ଆଣି ନଗଦ ନେଣଦେଣ ସୀମାକୁ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ରାଜସ୍ୱ ବିଭାଗ ତରଫରୁ କୁହାଯାଇଛି, ଯେଉଁମାନେ ଏହି ସୀମାରୁ ଅଧିକ ଟଙ୍କା ନଗଦ ଆକାରରେ ଗ୍ରହଣ କରିବେ, ସେମାନଙ୍କ ଠାରୁ ସମାନ ପରିମାଣର ଜରିମାନା ଆଦାୟ କରାଯିବ । ତେବେ ଏହି କଟକଣା ସରକାର, କୌଣସି ବ୍ୟାଙ୍କିଙ୍ଗ କଂପାନୀ, ଡାକ ଘର ସଂଚୟ ବ୍ୟାଙ୍କ ସମବାୟ ବ୍ୟାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ଏପ୍ରିଲରୁ ଏହି ନୂଆ ନିୟମ ଲାଗୁ ହୋଇପାରେ ।