ପଞ୍ଚମ ପାଳିରେ ସକ୍ରିୟ ନବୀନ ସରକାର: ପ୍ରଶାସନକୁ ଲୋକାଭିମୂଖୀ କରିବାକୁ ନିର୍ଦ୍ଦେଶ ଦେଲେ, ଅଫିସ୍ ଟାଇମ୍ ବଦଳାଇଲେ ।

ଏଣିକି ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର ।

2,510

କନକ ବ୍ୟୁରୋ: ଆକ୍ଟିଭ୍ ମୋଡରେ ରାଜ୍ୟ ସରକାର । ବଦଳିଲା ରାଜ୍ୟ ସରକାରୀ ଅଫିସ ଟାଇମ୍ । ଏଣିକି ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର । ଏପରିକି ମାତ୍ର ଅଧଘଂଟାଏ ଲଂଚ ବ୍ରେକ୍ ଅର୍ଥାତ୍ ମଧ୍ୟାହ୍ନ ୧.୩୦ରୁ ୨ଟା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ବଡ଼ କଥା ହେଲା କି, ପ୍ରଶାସନରେ କାର୍ଯ୍ୟଦକ୍ଷତାକୁ ବଢାଇପାଇଁ ଏବଂ ଅଧିକ ଲୋକାଭିମୁଖୀ କରିବା ପାଇଁ ପଞ୍ଚମ ପାଳିର ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ତେଣୁ ଖୁବଶୀଘ୍ର ଏହା ଲାଗୁ ହେବାକୁ ଯାଉଛି ।

ଅନ୍ୟପଟେ ସଚିବାଳୟରେ ଅନୁଷ୍ଠିତ ସିନିଅର ଅଫିସରଙ୍କ ବୈଠକରେ ନବୀନ କେତେକ ପ୍ରଶ୍ନ ପଚାରିଛନ୍ତି ।

୧. ସରକାରୀ ହସ୍ପିଟାଲରେ ରୋଗୀମାନେ ଆଡମିଶନ ନେବା ପରେ ସ୍ୱାସ୍ଥ୍ୟ ବିଭାଗ ରୋଗୀମାନଙ୍କ ଠାରୁ କିଛି ମତାମତ ନେଉଛି କି ?

୨. ଯୋଗାଇ ଦିଆଯାଉଥିବା ସେବାରେ ସେମାନେ କେତେ ଉପକୃତ ଅଛନ୍ତି ?

୩. ଟ୍ରାନସପୋର୍ଟ ବିଭାଗ ଲାଇସେନ୍ସ ପାଉଥିବା ଯୁବପୀଢିଙ୍କ ଠାରୁ ସେମାନଙ୍କ ମତାମତ ନେଉଛନ୍ତି କି ?

୪. ତହସିଲ ଅଫିସକୁ ଯାଉଥିବା ଲୋକମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚରାଯାଉଛି କି ?

୫. ବିକାଶ ପାଇଁ କାମ କରୁଥିବା ସରକାରୀ ପ୍ରତିନିଧିଙ୍କ ବିଷୟରେ ଜନତା କ’ଣ ଅନୁଭବ କରୁଛନ୍ତି ସେ ବିଷୟରେ ଆମକୁ ଜଣାଅଛିକି ?

୬. ସବରେଜିଷ୍ଟର ଅଫିସର କଥା କଣ ରହିଛି ? ଜନତାଙ୍କ ପଇସାରେ ଏସବୁ ଅଫିସ ଚାଲିଥିବାରୁ ଜନତାଙ୍କ ଅନୁଭବ କଣ ରହିଛି ଏବଂ ଜନସାଧାରଣଙ୍କ ଦୃଷ୍ଟିକୋଣରୁ ଏସବୁ କିଭଳି ଲାଗୁଛି ?

ସେହିଭଳି ସିଟିଜନ ସେଂଟ୍ରିକ କଥା କହିଛନ୍ତି ନବୀନ । ଜନତା ତାଙ୍କର ପ୍ରଦର୍ଶନ ରିପୋର୍ଟ ପ୍ରସ୍ତୁତ କଲେ ଆଉ ଏବେ ସେ ସରକାରୀ କର୍ମଚାରୀଙ୍କ ପ୍ରଦର୍ଶନ ଉପରେ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ନବୀନ । ଏହାସହ ଅଧିକ ସମୟ କାର୍ଯ୍ୟଭାରରୁ ସରକାରୀ ଅଫିସରଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରତି ମାସର ଚତୁର୍ଥ ଶନିବାରକୁ ମଧ୍ୟ ସରକାରୀ ଛୁଟି ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।