ବିଜେପି ଫର୍ମୁଲା ଆପଣାଇଲା କଂଗ୍ରେସ ! ଜେଡ଼ିଏସର କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର କରି ବିଜେପିକୁ କଲା ଘାଇଲା

86

ଗୋଟିଏ ପଟେ କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ଆସୁଥିଲା, ଅନ୍ୟପଟେ ଆରମ୍ଭ ହୋଇ ଯାଇଥିଲା ସରକାର ଗଢିବା ପାଇଁ ଅଙ୍କକଷା । ସମୟ ଗଡୁଥିଲା, ନେତା ଓ କର୍ମୀଙ୍କ ହୃତସ୍ପନ୍ଦନ ସେହି ଅନୁସାରେ ବଢିବାରେ ଲାଗିଥିଲା । ତେବେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ହେବାକୁ ଜେଡିଏସ୍ ନେତା କୁମାରସ୍ୱାମୀଙ୍କୁ ଅଫର୍ ଦେଇଥିଲା କଂଗ୍ରେସ । କାଳବିଳମ୍ବ ନକରି ଜେଡିଏସ୍ ମଧ୍ୟ ଏହାକୁ ଗ୍ରହଣ କରିଥିଲା । ଏହି କମ୍ବିନେସନ, ଦିନ ତମାମ ଆଗରେ ଚାଲୁଥିବା ବିଜେପିକୁ ହଠାତ୍ ବ୍ୟାକ୍ ଫୁଟକୁ ନେଇଯାଇଥିଲା । ସରକାର ଗଢ଼ିବା ସଂଖ୍ୟା ହାତେଇବା ପାଇଁ ଭଙ୍ଗା, ଯୋଡା ରାଜନୀତି ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗୀତା ।

ଗଣତନ୍ତ୍ରର ଗଣିତ ଆହୁରି ଜଟିଳ ହୋଇଯାଏ, ଯେତେବେଳେ କର୍ଣ୍ଣାଟକ ଭଳି ଫଳାଫଳ ସାମ୍ନାକୁ ଆସେ । ଆଉ ଏହି ଗଣିତରୁ ସମାଧାନ ବାହାର କରି ସରକାର ଗଠନର ସୂତ୍ର ଖୋଜିବା ଏବେ ସବୁଠୁ ବଡ ଚ୍ୟାଲେଂଜ୍ । କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ବିଜେପି ଦାବି କରୁଥିବା ବେଳେ ଜେଡିଏସ୍-କଂଗ୍ରେସ ଯୁଗଳବନ୍ଦୀ ବିଜେପିକୁ ଅଡୁଆ ସ୍ଥିତିରେ ପକାଇ ଦେଇଛନ୍ତି ।

ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ସରକାର ଗଠନର କସରତ । ଖଣ୍ଡିତ ଜନାଦେଶର ଆଭାଷ ପାଇବା ମାତ୍ରେ ଠିକ୍ ବିଜେପିର ରଣନୀତି ଆପଣାଇଥିଲା କଂଗ୍ରେସ । ଆଉ କାଳ ବିଳମ୍ବ ନକରି ସରକାର ଗଠନରେ ସହଯୋଗର ହାତ ବଢ଼ାଇବା ପାଇଁ କଂଗ୍ରେସକୁ ଅଫର ଦେଇଥିଲା । ଏକକ ସଂଖ୍ୟା ଗରିଷ୍ଠତା ନଥାଇ ଗୋଆ ଓ ମଣିପୁରରେ କଂଗ୍ରେସ ବିପକ୍ଷରେ ଯେଉଁ ଅସ୍ତ୍ର ଆପଣାଇଥିଲା ବିଜେପି, ଠିକ୍ ସମାନ ଅସ୍ତ୍ର ପ୍ରୟୋଗ କରିଛି କଂଗ୍ରେସ ।

ରାଜନୀତିରେ କେହି ସବୁ ଦିନ ପାଇଁ ଶତ୍ରୁ ନୁହନ୍ତି ବା ମିତ୍ର ନୁହନ୍ତି । ଏକଥା ପୁଣି ଥରେ ପ୍ରମାଣିତ କରିଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସିଦ୍ଦରାମୟା । କର୍ଣ୍ଣାଟକରେ ବିଜେପି ଆଗରେ ଥିବା ଖବର ମିଳୁମିଳୁ ସିଦ୍ଦରାମୟା ତାଙ୍କର ପରମ ରାଜନୈତିକ ଶତ୍ରୁ ତଥା ଦେବେଗୌଡ଼ାଙ୍କ ପୁଅ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ ।

ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି ଉଭୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦ୍ୟୁରପ୍ପା ଏବଂ କଂଗ୍ରେସଠାରୁ ସମର୍ଥନ ପାଇ ଜେଡିଏସ ନେତା କୁମାରସ୍ୱାମୀ । ଦଳବଳ ସହ ଦୁଇ ନେତା ଭେଟିଛନ୍ତି ରାଜ୍ୟପାଳଙ୍କୁ । ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସିଦ୍ଧରମୈୟା ମଧ୍ୟ ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ଭେଟିଛନ୍ତି । ଯେଦ୍ୟୁରପ୍ପା କହିଛନ୍ତି, ବିଜେପି ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ପ୍ରଥମେ ତାଙ୍କୁ ସରକାର ଗଢିବା ପାଇଁ ଡାକିବା ଉଚିତ୍ ।