ଚଳିତମାସରେ ମୋଦି ଉପହାରରେ ପାଇଥିବା ସାମଗ୍ରୀ ଗୁଡିକୁ ନିଲାମ କରିପାରନ୍ତି ସରକାର !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାର ନିଲାମ ହୋଇପାରେ

112

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାର ନିଲାମ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ମହେଶ ଶର୍ମା । ମିଳିଥିବା ସୂଚନା ଅନୁସାରେ ମୋଦି ନିଜ ଗସ୍ତ ସମୟରେ ବିଭିନ୍ନ ପ୍ରକାର ଉପହାର ଓ ସ୍ମାରକୀ ପାଇଥାଆନ୍ତି । ୧୦ ରୁ ୧୫ ଦିନ ମଧ୍ୟରେ ଏହି ସାମଗ୍ରୀ ଗୁଡିକୁ ନିଲାମ କରାଯିବ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀସ୍ଥିତ ନେସ୍ନାଲ୍ ଗ୍ୟାଲେରି ଅଫ୍ ମର୍ଡର୍ଣ୍ଣ ଆର୍ଟରେ ଏହାକୁ ନିଲାମ କରାଯିବ ବୋଲି ଜଣାପଡିଛି ।

 

ତେବେ ସମାଗ୍ରୀ ଗୁଡିକରୁ ଯେଉଁ ଅର୍ଥ ମିଳିବ ତାହାକୁ ମହତ କାମରେ ଲଗାଯିବ ବୋଲି ଜଣାପଡିଛି । ଗଙ୍ଗା ନଦୀର ପୂର୍ବ ସ୍ୱଚ୍ଛତା ଓ ସଂରକ୍ଷଣ ସକାଶ କେନ୍ଦ୍ର ସରକାର ଗ୍ରହଣ କରିଥିବା ଅଭିଯାନ ‘ନମାମି ଗଙ୍ଗା’ ଲାଗି ଏହି ନିଲାମରୁ ପ୍ରାପ୍ତ ଅର୍ଥ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଚିତ୍ରପଟ, ଫଟୋ, ପଗଡ଼ି, ଶାଲ୍, ସ୍ଥାପତ୍ୟ ଏବଂ ଅନ୍ୟାନ୍ୟ ଜିନିଷ ସମେତ ୧, ୮୦୦ରୁ ଅଧିକ ଜିନିଷପତ୍ର ରହିଛି। ଦୁଇ ଦିନରୁ ଊର୍ଦ୍ଧ୍ୱକାଳ ଧରି ଉପସ୍ଥିତି ନିଲାମ କରାଯିବା ପରେ ତିନି ଦିନ ଲାଗି ଇ-ସେଲ୍ କରାଯିବ। ସଂସ୍କୃତି ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏନଜିଏମଏ ସ୍ଥାୟୀ ପ୍ରଦର୍ଶନ ଲାଗି ଗ୍ୟାଲେରି ପରିଚାଳନା କରେ ଓ ସ୍ୱତନ୍ତ୍ର ଚିତ୍ର ପ୍ରଦର୍ଶନୀ ଆୟୋଜନ କରେ। ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ଏନଜିଏମଏ ମୋଦି ପାଇଥିବା ଉପହାରବଳୀର ପ୍ରଦର୍ଶନୀ ଆୟୋଜିତ କରିଥିଲା। ତେବେ ମୋଦି ପାଇଥିବା ସାମଗ୍ରୀକୁ ନିଲାମ କରି ଏପରି ମହତ କାମରେ ଲଗାଯିବାକୁ ହୋଇଥିବା ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି ।