ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଯୋଗଗୁରୁଙ୍କ ବୟାନ: କହିଲେ, ୨ରୁ ଅଧିକ ସନ୍ତାନ ଜନ୍ମ ଦେଉଥିବା ଦମ୍ପତିଙ୍କଠାରୁ ମତଦାନ କ୍ଷମତା ପ୍ରତ୍ୟାହାର କରି ନିଆଯିବା ଦରକାର

176

ଯୋଗଗୁରୁ ବାବା ରାମଦେବ ଆଜି ଦେଇଥିବା ଏକ ବୟାନକୁ କେନ୍ଦ୍ରକରି ବିବାଦର ସୂତ୍ରପାତ ହେବ ସହ ବାବାଙ୍କ ଏହି ବିବୃତିକୁ କେନ୍ଦ୍ରକରି ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି।

ହରିଦ୍ୱାର ଠାରେ ଆୟୋଜିତ ଜ୍ଞାନ କୁମ୍ଭରେ ଅଂଶଗ୍ରହଣ କରିବା ଅବସରରେ ଯୋଗଗୁରୁ ବାବା ରାମଦେବ ଆଜି ତାଙ୍କ ଭାଷଣରେ କହିଛନ୍ତି ଯେ ଯେଉଁ ଭାରତୀୟ ବିବାହିତ ଦମ୍ପତିଙ୍କର ଦୁଇରୁ ଅଧିକ ସନ୍ତାନ ରହିଛନ୍ତି ସେମାନଙ୍କ ନିକଟରୁ ମତଦାନ କ୍ଷମତା ପ୍ରତ୍ୟାହାର କରି ନିଆଯିବାର ଆବଶ୍ୟକତା ରହିଛି। ଏବଂ ‘ମୋ ପରି ଯେଉଁମାନେ ବିବାହ ଯୋଗ୍ୟ ହୋଇ ସୁଦ୍ଧା ବିବାହ ନକରି ଅବିବାହିତ ରହିଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଯିବାର ଆବଶ୍ୟକତା ରହିଛି’, ବୋଲି କହିଛନ୍ତି ବାବା ରାମଦେବ।

ନିଜ ବୟାନ ସଂପର୍କରେ ଯୁକ୍ତି ଦର୍ଶାଇବାକୁ ଯାଇ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ, ଯେଉଁ ଭାରତୀୟ ବିବାହିତ ଦମ୍ପତି ଦୁଇରୁ ଅଧିକ ସନ୍ତାନ ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି, ସେମାନେ ଦେଶ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛନ୍ତି। କାରଣ, ଆମ ଦେଶର ଜନସଂଖ୍ୟା ଏବେ ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଏବଂ ୧୫୦ କୋଟି ଛୁଇଁବାକୁ ବସିଲାଣି। ତେଣୁ, ଏପରିସ୍ଥିତିରେ ଯେଉଁ ଦମ୍ପତିମାନେ ଦୁଇରୁ ଅଧିକ ସନ୍ତାନ ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି, ସେମାନଙ୍କ ଠାରୁ ସେମାନଙ୍କର ମତଦାନର କ୍ଷମତା ପ୍ରତ୍ୟାହାର କରି ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ।