ବିବିସି-ଅଲ୍ ଜଜିରା ପାଇଁ ବଢ଼ିଲା ଅଡୁଆ ! କଶ୍ମୀରରେ ବିକ୍ଷୋଭ ହୋଇଥିବା ନେଇ ଭିଡ଼ିଓ ଦେଖାଇଥିଲେ, ସତ୍ୟାସତ୍ୟ ପାଇଁ ଦୁହିଁଙ୍କୁ ଭାରତ ସରକାରଙ୍କ ନୋଟିସ୍

1,054

କନକ ବ୍ୟୁରୋ: ମିଥ୍ୟା ପ୍ରଚାର ନେଇ ବଢ଼ିଲା ଅଡୁଆ । କଶ୍ମୀରରେ ଏକ ବଡ଼ ଧରଣର ବିକ୍ଷୋଭ ହୋଇଥିବା ବିବିସି ଏବଂ ଅଲ ଜଜିରା ଭିଡିଓ ଦେଖାଇଥିଲେ । ଏ ଦୁଇଟି ଗଣମାଧ୍ୟମ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର । ନୋଟିସରେ କୁହାଯାଇଛି ଯେ ଭାରତ ସରକାରଙ୍କ ସୂଚନା ଅନୁସାରେ ଏପରି କୌଣସି ଘଟଣା ଘଟିନାହିଁ । ଯଦି ଘଟିଛି ବୋଲି ସଂପୃକ୍ତ ଚ୍ୟାନେଲ ମାନଙ୍କ ପାଖରେ ପ୍ରମାଣ ଅଥବା ର’ ଫୁଟେଜ ରହିଛି, ସେମାନେ ତାହା ସରକାରଙ୍କୁ ଦେଖାଇପାରିବେ ।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ବିଶ୍ୱ ସମୁଦାୟ ନିକଟରୁ କୌଣସି ସମର୍ଥନ ପାଇପାରିନଥିବା ପାକିସ୍ତାନ ଅସହାୟ ହୋଇ ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି । କିନ୍ତୁ ଦୁର୍ଭାଗ୍ୟଜନକ କଥା ହେଉଛି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଏହି ମିଥ୍ୟା ପ୍ରଚାର ଜାଲରେ ଫସିଯାଉଛନ୍ତି ଅଥବା ଜାଣିଶୁଣି ଭାରତ ବିରୋଧରେ ମିଥ୍ୟା ପ୍ରଚାର ଚଳାଇଛନ୍ତି ।

ଅନ୍ୟପଟେ ଏସବୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟରେ ରହିଛନ୍ତି ବିବିସି, ନ୍ୟୁୟର୍କ ଟାଇମ୍ସ ଓ ଅଲ ଜଜିରା ପରି ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା । ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଭାରତ ସରକାର । ତେବେ କାଶ୍ମୀର ପ୍ରସଙ୍ଗରେ ବିବିସି ଜାରି କରିଥିବା ଭିଡ଼ିଓଟି ସତ ବୋଲି ଦାବି କରିଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କେତେ ସତ ତାକୁ ପ୍ରମାଣିତ କରିପାରିନି ବିବିସି ।