ମିଶନ ମୋଡରେ ସରକାର ! ଘନଘନ ବର୍ଷା ଭିତରେ ଚାଲିଛି ଅପରେସନ, ଉଦ୍ଧାର ଓ ରିଲିଫ ଉପରେ ଫୋକସ୍

17

ଦକ୍ଷିଣ ଓଡିଶାର ବନ୍ୟା ସ୍ଥିତି ସରକାରଙ୍କ ନିଦ ହଜାଇଛି । ମିଶନ ମୋଡରେ ଚାଲିଛି ଲୋକଙ୍କ ପାଖକୁ ପହଂଚିବାକୁ ଉଦ୍ୟମ । ଉଦ୍ଧାରକାରୀ ଦଳ ଓ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଖକୁ ନିରନ୍ତର ପହଂଚାଇବାକୁ ଚାଲିଛି ଜୋରଦାର ଚେଷ୍ଟା । ଆଉ ଏପଟେ ଭୁବନେଶ୍ୱରରେ ବସି ସବୁକିଛି ଉପରେ ନଜର ରଖିଛନ୍ତି ଅଧିକାରୀ ।ଚାରିଆଡେ ବନ୍ୟାପାଣି । ଲୋକଙ୍କ ଭିତରେ ଡର । ହେଲେ ଏହାରି ଭିତରେ ରବିବାର ଛୁଟି ଦିନରେ ଆକ୍ସନ ମୁଦ୍ରାକୁ ଆସିଲେ ଅଧିକାରୀ । ସ୍ୱତନ୍ତ୍ର ରିଲିଫ କମିଶନର, ଉନ୍ନୟନ କମିଶନର, ତମାମ ଅଧିକାରୀ ।

ଆଉ ଏମାନଙ୍କର କପ୍ତାନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ଜିଲ୍ଲା ପ୍ରଶାସନକୁ କରାଗଲା କ୍ରିୟାଶୀଳ । ଫସିଥିବା ଲୋକଙ୍କୁ ଉଦ୍ଧାର କର ଆଉ ସେମାନଙ୍କ ନିକଟରେ ରିଲିଫ ପହଂଚାଅ । ସାହାଯ୍ୟ ନିଆଗଲା ଏନଡିଆରଏଫ, ଓଡ୍ରାଫ ଓ ସିଆରପିଏଫ ଜବାନଙ୍କର । କଂଟ୍ରୋଲ ରୁମରୁ ନିଆଯାଉଥାଏ ପ୍ରତି ମିନିଟର ଅପଡେଟ୍ । ରାୟଗଡା ଆଉ କଳାହାଣ୍ଡି । ଦୁଇଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ହେବା ପରେ କ୍ରିୟାଶୀଳ ହୋଇଥିଲା ପ୍ରଶାସନ । ସମୀକ୍ଷା କରି ୪ଟି ହେଲିକପ୍ଟର ସହାୟତା ମଗାଗଲା ।

ତେବେ ଖରାପ ପାଗ ଯୋଗୁଁ ଆକାଶ ମାର୍ଗରୁ ରିଲିଫ ପହଂଚାଇବା ଅସମ୍ଭବ ହେବାରୁ ସଡକ ପଥକୁ ହିଁ ମାଧ୍ୟମ କରାଯାଇଥିଲା । ତେବେ ଆଜି ସ୍ଥିତିରେ ଟିକିଏ ସୁଧାର ଆସିବା ପରେ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ରିଲିଫ ଦିଆଯାଇଛି । ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତମାମ ଉଦ୍ୟମ କରାଯାଇ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଂଚାଇବାକୁ ଚେଷ୍ଟା କରାଯାଉଛି । ସଚିବାଳୟରେ କରାଯାଇଛି ସ୍ଥିତିର ସମୀକ୍ଷା । ଗତକାଲି ଠାରୁ ସିଡିଏମଓ ଏବଂ ଏଡିଏମଓଙ୍କ ନେତୃତ୍ୱରେ ଟିମ୍ ଜରୁରୀକାଳିନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି ।

ଏହାରି ଭିତରେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟର ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସ୍ଥିତିର ମୁକାବିଲା ପାଇଁ କୋରାପୁଟ ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । କର୍ମଚାରୀଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇନ୍ଦ୍ରାବତୀର ଜଳସ୍ତର ବୃଦ୍ଧି ପାଉଥିଲେ ସୁଦ୍ଧା ବର୍ତ୍ତମାନ ଏହା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨ଦିନ ଯାଏଁ ଦକ୍ଷିଣ ଓଡିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲାରେ ଏବଂ ଉପକୂଳ ଓଡିଶାରେ ୬ଟି ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅତୀତରେ ଫାଇଲିନ୍ ଓ ହୁଡହୁଡକê ସଫଳତାର ସହ ମୁକାବିଲା କରିଥିବା ରାଜ୍ୟ ସରକାରଙ୍କ ସାମ୍ନାରେ ଏବେ ଆହ୍ୱାନ ସାଜିଛି ବନ୍ୟା । ଜିରୋ କାଜୁଆଲଟି ଲକ୍ଷ ନେଇ ଚାଲିଛି କାର୍ଯ୍ୟ, ଏହାରି ଭିତରେ ନଜର କିଭଳି ସରକାର ସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ଆଣୁଛନ୍ତି ।