ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ମୃତ ଆପଲ୍ କମ୍ପାନୀ ମ୍ୟାନେଜରଙ୍କ ପତ୍ନୀ : ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ସହ ୫ ଲକ୍ଷର ଫିକ୍ସ ଡିପୋଜିଟର ପ୍ରତିଶ୍ରୁତି ମିଳିଥିବା ସୂଚନା

36

କନକ ବ୍ୟୁରୋ : ମୃତ ବିବେକ ତିୱାରିଙ୍କ ବିଧବା ପତ୍ନୀ କଳ୍ପନା ତିୱାରୀ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ସାକ୍ଷାତ କାର୍ଯ୍ୟକ୍ରମ ହୋଇଛି । ପୋଲିସ ଗୁଳିର ଶିକାର ହୋଇଥିବା ତାଙ୍କ ନିର୍ଦ୍ଦୋଷ ସ୍ୱାମୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ବିବେକଙ୍କ ପତ୍ନୀ । ସେପଟେ ୟୁପି ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର କ୍ଷତିପୁରଣ ସହ ଦୁଇ ଝିଅ ଓ ତାଙ୍କ ମାଆଙ୍କ ପାଇଁ ୫ଲକ୍ଷ ଲେଖାଏଁ ଫିକ୍ସ ଡିପୋଜିଟ ଦେବାକୁ ନିଷ୍ପତି ନେଇଥିବା କଳ୍ପନା କହିଛନ୍ତି । ତାଙ୍କ ନିର୍ଦ୍ଦୋଷ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ଦୁଇ ଝିଅଙ୍କ ସୁରକ୍ଷିତ ଭବିଷ୍ୟତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତା ହୋଇଛନ୍ତି କଳ୍ପନା ତିୱାରି । ଏହା ସହ ହତ୍ୟାକାରୀ ପୋଲିସ କନଷ୍ଟେବଲଙ୍କ ଠାରୁ ତାଙ୍କ ପରିବାରକୁ ବିପଦ ଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ମୃତ ଆପଲ ଏକ୍ଜିକ୍ୟୁଟିଭଙ୍କ ପତ୍ନୀ ।

ସେପଟେ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବ । ରାଜ୍ୟରେ ଆଇନଶୃଂଖଳା ସ୍ଥିତି ସଙ୍ଗିନ ଥିବା ଅଖିଳେଶ କହିଛନ୍ତି । ସୂଚନାଯୋଗ୍ୟ ଗତକାଲି ବିବେକ ତିୱାରୀଙ୍କ ଅନ୍ତିମ ସଂସ୍କାର ଆଜି ହୋଇଛି । ଅନ୍ତିମ ସଂସ୍କାର ସମୟରେ ୟୁପି ସରକାରର ୨ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଦିଲ୍ଲୀରେ ଏହି ଗୁଳିକାଣ୍ଡ ନେଇ ବରିଷ୍ଠ ବିଜେପି ନେତାଙ୍କ ଘନ ଘନ ବୈଠକ ବସିଥିଲା । ଏଥିରେ ବିଜେପି ସଭାପତି ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ ।