ପ୍ରକାଶ ପାଇଲା ପଦ୍ମ ପୁରସ୍କାର ତାଲିକା ! ୫ ଓଡ଼ିଆ ପାଇବେ ପଦ୍ମଶ୍ରୀ ସମ୍ମାନ, ଧୋନିଙ୍କୁ ମିଳିବ ପଦ୍ମ ଭୂଷଣ ।

46

କନକ ବ୍ୟୁରୋ : ପ୍ରକାଶ ପାଇଛି ପଦ୍ମ ପୁରସ୍କାର ତାଲିକା । ଏଥିରେ ମୋଟ ୮୫ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଚଳିତ ବର୍ଷ ୫ ଜଣ ଓଡିଆ ପଦ୍ମଶ୍ରୀ ପୁରସ୍କାର ପାଇବେ । ସେହି ତାଲିକାରେ ରହିଛନ୍ତି ସାହିତ୍ୟ ଓ ଶିକ୍ଷା ପାଇଁ ଚନ୍ଦ୍ର ଶେଖର ରଥ, ଜନସେବା ପାଇଁ ଭବାନୀ ଚରଣ ପଟ୍ଟନାୟକ, ହସ୍ତତନ୍ତ କଳା ପାଇଁ ଗୋବର୍ଧନ ପାଣିକା, ସ୍ଥାପତ୍ୟ ପାଇଁ ପ୍ରଭାକର ମହାରଣା ଓ ଫିଲ୍ମ ପାଇଁ ଶିଶିର ମିଶ୍ର । କିନ୍ତୁ ଶିଶିର ମିଶ୍ର ମହାରାଷ୍ଟ୍ରରୁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

n-PADMA-SHRI-AWARD-large570ତେବେ ଚଳିତ ବର୍ଷ ବହୁ ଅଣ ଚର୍ଚିତ ଚେହେରାଙ୍କୁ ପଦ୍ମ ସମ୍ମାନରେ ଗୁରୁତ୍ୱ ଦିଆଯାଇଛି । ଏମାନେ ସବୁ ନିଜ ନିଜ କ୍ଷେତ୍ରରେ ବେଶ ସଫଳତା ହାସଲ କରିଛନ୍ତି । ବୈଜ୍ଞାନିକ ଅରବିନ୍ଦ ଗୁପ୍ତାଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଗଣ୍ଡ କଳା ଗୁରୁ ଭଜ୍ଜୁ ଶ୍ୟାମଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଏହା ସହ ପାରମ୍ପରିକ ଔଷଧ ବ୍ୟବସ୍ଥା ବିଶେଷ କରି ସାପବିଷ ଔଷଧ ପାଇଁ କେରଳର ଲକ୍ଷ୍ମୀ କୁଟ୍ଟି ଓ ପୀଡାଶୂନ୍ୟ ଅସ୍ତ୍ରୋପଚାର ଔଷଧ ପାଇଁ ଏମଆର ରାଜଗୋପାଳଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସେହିପରି ୯୯ ବର୍ଷ ବୟସ୍କ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସୁଧାଂଶୁ ବିଶ୍ୱାସଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ସେହିପରି ବନ୍ୟପ୍ରାଣୀ ସଂରକ୍ଷଣ ଓ ସର୍ପବିଶେଷଜ୍ଞ ରାମୁଲସ ହ୍ୱିଟକରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ପ୍ଲାଷ୍ଟିକ ରାସ୍ତା ନିର୍ମାତା ରାଜାଗୋପାଳନ ବାସୁଦେବନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ସେପଟେ ସଂଗୀତ କ୍ଷେତ୍ରରେ ସଫଳତା ପାଇଁ ଇଲିୟାରାଜା ଓ ଗୁଲାମ ମୁସ୍ତାଫା ଖାନ ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ପରମେଶ୍ୱର ପରମେଶ୍ୱରନଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ ପାଇବେ । ସେହିପରି କ୍ରିକେଟର ମହେନ୍ଦ୍ର ସିଂଧୋନୀ, ସ୍ନୁକର ଷ୍ଟାର ପଙ୍କଜ ଆଡଭାନୀଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ଏହା ସହ ୧୪ ଜଣ ବିଦେଶୀ ନାଗରିକଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।