କୁଆଖାଇରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ପରେ ପ୍ରଶାସନ ଚେତିଲା : ଏଣିକି ବ୍ରିଜ୍‌ ଉପରେ ୨୪ ଘଣ୍ଟିଆ ପୁଲିସ ମୁତୟନ କରାଯିବ

47

କନକ ବ୍ୟୁରୋ : କୁଆଖାଇରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ପରେ ପ୍ରଶାସନ ଚେତିଲା । କମିସନରେଟ୍‌ ପୁଲିସ ଓ ଅଗ୍ନିଶମ ବିଭାଗର ନିଦ ଭାଙ୍ଗିଲା । ଏଣିକି ବ୍ରିଜ୍‌ ଉପରେ ୨୪ ଘଣ୍ଟିଆ ପୁଲିସ ମୁତୟନ କରାଯିବ । ନଦୀପଠାରେ ଲାଗିିବ ସତର୍କ ସୂଚନା ଫଳକ । କମିସନରେଟ୍‌ ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏପରି ଯୋଜନା କରାଯାଇଥିବା ସୂଚନା ମିଳିଛି । କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ଜଣ କନ୍‌ଷ୍ଟେବଲ କୁଅଖାଇ ବ୍ରିଜ୍‌ ଉପରେ ଦିନରାତି ଜଗି ରହିବେ । ଏହା ଛଡ଼ା ଦିନର ଅଧିକାଂଶ ସମୟ ପିସିଆର୍‌ ଭ୍ୟାନ୍‌କୁ ସେହି ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପଠାଯିବ । ବନ୍ୟା ନ ଛାଡ଼ିବା ଯାଏ କାହାରିକୁ ଏବେ ନଦୀରେ ଗାଧୋଇବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି କୁଆଖାଇ ନଦୀର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ରହିଛି ।

ଯେଉଁଠି ବନ୍ୟା ଜଳ ଆସିଲେ ଭଉଁରି ପଡ଼ୁଛି । ଏପରିକି ନଦୀର ତୁଠରେ ମଧ୍ୟ ଗଭୀର ପାଣି । କିନ୍ତୁ ଅଜଣା ଲୋକ ନଦୀକୁ ଗାଧୋଇ ଆସି କେଉଁଠି ଅଧିକ ଖାଲ ଅଛି ଜାଣି ପାରନ୍ତି ନାହିଁ । ଏହା ଛଡ଼ା କୁଆଖାଇରେ ବାଲି ଚରି ଯାଇଥାଏ । ଯାହାର ତଳେ ପାଣିଥାଏ । ଅଗ୍ନିଶମ ବିଭାଗ ପକ୍ଷରୁ ଏଭଳି ସ୍ଥାନ ଚିହ୍ନଟ କରାଯାଇ ପୁଣି ଥରେ ସର୍ତକ ସୂଚନା ବୋର୍ଡ ଲଗାଯିବ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରେ ପ୍ରକାଶଥାଉକି, ବୁଧବାର କୁଆଖାଇ ନଦୀରେ ବୁଡ଼ି ୟୁନିଟ୍‌ ୯ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସାପିକ ଦିଗାଲ(୧୪) ଓ ଜଗମୋହନ ସାହୁ (୧୪)ଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ବେଳେ ୪ ଜଣ ସାଙ୍ଗ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିଲେ। ସେମାନେ ହେଲେ ଅମନ ସାହୁ (୧୫), ରାକେଶ ନାୟକ(୧୫), ତ୍ରିଲୋଚନ ନାୟକ (୧୩), ଦେବାଶିଷ ରାଉତ (୧୨) ।

ସ୍କୁଲ ଯାଉଛନ୍ତି କହି ପିଲାମାନେ ଘରୁ ବାହାରୁଛନ୍ତି । ଅଭିଭାବକ ଜାଣୁଛନ୍ତି ଯେ ପିଲା ଆମର ସ୍କୁଲ ଯାଉଛି । ହେଲେ ପିଲା ସ୍କୁଲରେ ପହଞ୍ଚିଲେ କି ନାହିଁ ? କ୍ଲାସ୍‌ କରୁଛନ୍ତି କି ନାହିଁ ? ସ୍କୁଲ ନାଁରେ ଆଉ କେଉଁ ଆଡ଼େ ଚାଲିଗଲେ କି ? କିଛି ଯଦି ଦୁର୍ଘଟଣାର ସମ୍ମୁଖୀନ ହେଲେ ସେଥିପାଇଁ କିଏ ଦାୟୀ ରହିବ ? ସ୍କୁଲ କର୍ତୃପକ୍ଷ ନା ଅଭିଭାବକ ? ବୁଧବାର ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କ ଅକାଳ ବିୟୋଗ ପରେ ଏଭଳି ନାନା ପ୍ରଶ୍ନକୁ ନେଇ ଏବେ ସାରା ରାଜ୍ୟରେ ଉଙ୍କି ମାରୁଛି । ପିଲାଙ୍କ ଖବର ରଖିବା ଦାୟିତ୍ୱ କାହାର ? ସ୍କୁଲ କର୍ତୃପକ୍ଷ ପିଲାଙ୍କ ଖବର ରଖିବେ ନା ଅଭିଭାବକ ।

ଘରୋଇ ବିଦ୍ୟାଳୟରେ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ଗାଡ଼ିରେ ପଠାଉଛନ୍ତି । ନ ହେଲେ ନିଜେ ଆଣି ସ୍କୁଲ ଫାଟକ ନିକଟରେ ଛାଡ଼ି ଦେଇ ଯାଉଛନ୍ତି । ଫଳରେ ସ୍କୁଲ କ୍ୟାମ୍ପସ ଭିତରକୁ ପ୍ରବେଶ କଲା ପରେ ପିଲାଙ୍କ ସୁରକ୍ଷା ଦାୟିତ୍ୱ ସ୍କୁଲ କର୍ତୃପକ୍ଷଙ୍କ ହାତକୁ ଚାଲିଯାଉଛି । ସରକାରୀ ବିଦ୍ୟାଳୟ କ୍ଷେତ୍ରରେ ସେଭଳି ହେବାର ସମ୍ଭାବନା କମ୍‌ । ପିଲାଟି ଘରୁ ବାହାରିଲା ପରେ ସ୍କୁଲ ଗଲା କି ଗଲାନି ତାହାର ଖବର ରଖିବାକୁ ଅଭିଭାବକ କିମ୍ବା ସ୍କୁଲ କର୍ତୃପକ୍ଷଙ୍କ ପାଖରେ ସୁଯୋଗ ନାହିଁ । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପିଲାଙ୍କର ଏଭଳି ମୃତ୍ୟୁ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । କ’ଣ କଲେ ଏଭଳି ସମସ୍ୟାର ସମାଧାନ କରାଯାଇପାରିବ ଏବେ ତାହାର ବାଟ ଖୋଲାଚାଲିଛି । ପ୍ରତିବର୍ଷ ବର୍ଷା ଆସିବା କ୍ଷଣି ଲମ୍ବା ଚଉଡ଼ା ଗାଇଡ୍‌ଲାଇନ୍‌ ଜାରି କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ପିଲାଙ୍କୁ ନଦୀ, ପୋଖରୀ, ଖୋଲା କୂଅ ଆଦି ସ୍ଥାନକୁ ନ ଛାଡ଼ିବାକୁ ନିର୍ଦେଶ ଦିଆଯାଉଛି । କଡ଼ା ନଜର ରଖିବାକୁ କୁହାଯାଉଛି । ହେଲେ ପ୍ରଶ୍ନ ଉଠୁଛି ପିଲା ସ୍କୁଲ ଆସିଲେ ସିନା କର୍ତୃପକ୍ଷ ନଜର ରଖିବେ ।  ଯଦି ପିଲାଟି ଘରେ ସ୍କୁଲ ଯାଉଛି କହି ଅନ୍ୟଆଡ଼େ ପଳାଇଯିବ ତେବେ ଦାୟୀ କିଏ ରହିବ ?

ବୁଧବାରର ଘଟଣା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି ଯେ ପିଲା ଘରୁ ବାହାରି ଆସୁଛି ହେଲେ ଯଦି ସ୍କୁଲକୁ ନ ଆସିବ ତେବେ ଆମେ କ’ଣ କରିପାରିବୁ । ପିଲାଟି କେଉଁଆଡ଼େ ଯାଉଛି ଆମ ପାଖରେ ଜାଣିବା ଲାଗି ସୁଯୋଗ ହିଁ ନାହିଁ । ପୂର୍ବାହ୍ନ ୧୦ଟା ଭିତରେ ପିଲା ସ୍କୁଲରେ ପହଞ୍ଚିଲେ ସୁରକ୍ଷା ଦାୟିତ୍ୱ ଆମର। ଯଦି ନ ଆସିଲେ ତେବେ ଆମେ କିଛି କରିପାରିବୁ ନାହିଁ । ସବୁଦିନ ତ ଅଭିଭାବକଙ୍କୁ ଫୋନ୍‌ କରି ଜଣାଇପାରିବୁ ନାହିଁ ଯେ ପିଲା କାହିଁକି ସ୍କୁଲ ଆସିଲା ନାହିଁ । ଯଦି ପିଲାଟି ୫ ଦିନ ଲଗାତାର ଅନୁପସ୍ଥିତ ରହୁଛି ତେବେ ଆମେ ଅଭିଭାବକଙ୍କୁ ଏବିଷୟରେ ଜଣାଉଛୁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପରି ଦୁର୍ଘଟଣା ପାଇଁ ଆମେ ସଚେତନ କରାଉଛୁ । ଗଜ ଜୁନ୍‌ ମାସରେ ସ୍କୁଲଗୁଡ଼ିକୁ ଚିଠି ଲେଖାଯାଇଛି । ଅଭିଭାବକମାନେ ସଚେତନ ରହିବାକୁ କୁହାଯାଉଛି । ତା’ ପରେ ବି ଯଦି ପିଲା ସ୍କୁଲ ନ ଆସି ଏଣେତେଣେ ଚାଲିଯିବେ ତେବେ ଆମେ ଆଉ କିଛି କରିପାରିବୁ ନାହିଁ। ଏଭଳି ସମସ୍ୟାର ପ୍ରତିକାର ପାଇଁ କୌଣସି ନିୟମ ନାହିଁ ।

ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ୟୁନିଟ୍‌-୯ ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟରେ ଉପସ୍ଥାନକୁ କଡ଼ାକଡ଼ି କରାଯାଇଛି । ପ୍ରତିଦିନ ଦୁଇଥର ଉପସ୍ଥାନ ଯାଞ୍ଚ ହେବ । ପ୍ରଥମ କ୍ଲାସ୍‌ ଆରମ୍ଭ ହେବା କ୍ଷଣି ଉପସ୍ଥାନ ନିଆଯିବ । କେତେ ପିଲା ଅନୁପସ୍ଥିତ ଅଛନ୍ତି ତାହାର ରିପୋର୍ଟ ପ୍ରଧାନଶିକ୍ଷକ ଯାଞ୍ଚ କରିବେ । ମଧ୍ୟାହ୍ନଭୋଜନ ପରେ ଆଉ ଥରେ ଉପସ୍ଥାନ ଯାଞ୍ଚ କରାଯିବ । ସେହିପରି ଯେଉଁପିଲା ଲଗାତାର ଭାବେ ୩ ଦିନ ଅନୁପସ୍ଥିତ ରହିବେ ତାଙ୍କ ଅଭିଭାବକଙ୍କୁ ଜଣାଇବା ସହ ସ୍କୁଲକୁ ଡକାଯାଇ ପିଲାର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯିବ ।