ପିଏନବି ଠକେଇ ପରେ ସତର୍କତା ! ବ୍ୟାଙ୍କଗୁଡ଼ିକୁ ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ, ୪୫ ଦିନ ମଧ୍ୟରେ ସଂଗ୍ରହ କର ବଡ଼ ଋଣ ଗ୍ରାହକଙ୍କ ପାସପୋର୍ଟ ତଥ୍ୟ ଦିଅ

45

କନକ ବ୍ୟୁରୋ : ପିଏନ୍‌ବି ଠକେଇ ପରେ ଅର୍ଥ ମନ୍ତ୍ରାଳୟ ସତର୍କତା ପ୍ରକାଶ କରିବା ଆରମ୍ଭ କରିଦେଇଛି । ମୋଟ ଅଙ୍କର ଋଣ ନେଇଥିବା ବ୍ୟକ୍ତିଙ୍କର ପାସପୋର୍ଟର ବିସ୍ତୃତ ତଥ୍ୟ ରଖିବା ଲାଗି ଅର୍ଥ ମନ୍ତ୍ରାଳୟ ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦେଇଛି । ଋଣ କରିଥିବା ବ୍ୟକ୍ତିମାନେ ଯେଭଳି ଦେଶଛାଡ଼ି ଚାଲିଯିବାରେ ସକ୍ଷମ ନହୁଅନ୍ତି ସେଥିପାଇଁ ଏହି ନିର୍ଦେଶ ଦିଆଯାଇଛି ।

passport

ମିଳିଥିବା ସୂଚନା ଅନୁଯାୟୀ ୫୦ କୋଟି ଟଙ୍କାରୁ ଅଧିକ ଋଣ ନେଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାସପୋର୍ଟର ବିସ୍ତୃତ ତଥ୍ୟ ୪୫ ଦିନ ମଧ୍ୟରେ ସଂଗ୍ରହ କରିବାକୁ କୁହାଯାଇଛି । ମୋଟା ଅଙ୍କର ଋଣ ନେଇଥିବା ବ୍ୟକ୍ତିଙ୍କର ଯଦି ପାସପୋର୍ଟ ନଥାଏ ତାହେଲେ ସେମାନଙ୍କଠାରୁ ପାସପୋର୍ଟ ନଥିବାର ଘୋଷଣାନାମା ସଂଗ୍ରହ କରିବାକୁ କୁହାଯାଇଛି । ଏତଦ୍‌ ବ୍ୟତୀତ ଋଣ ଆବେଦନ ଫର୍ମରେ ଯେଭଳି ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ରହିବ ସେ ନେଇ ଉକ୍ତ ଫର୍ମରେ ଆବଶ୍ୟକ ପରିବର୍ତନ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।

ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ବ୍ୟାଙ୍କ ଗୁଡ଼ିକ ନିକଟରେ ରହିଥିଲେ ସେମାନେ ଉପଯୁକ୍ତ ଏଜେନ୍ସିଙ୍କୁ ସେସବୁ ବ୍ୟକ୍ତିମାନଙ୍କ ସଂପର୍କରେ ତଥ୍ୟ ଦେଇପାରିବେ । ଫଳରେ ସେହି ବ୍ୟକ୍ତିମାନେ ଆଉ ଦେଶଛାଡ଼ି ବାହାରକୁ ଯାଇପାରିବେ ନାହିଁ । ବ୍ୟାଙ୍କ ନିକଟରେ ଋଣ ନେଇଥିବା ବ୍ୟକ୍ତିଙ୍କର ପାସପୋର୍ଟ ସଂକ୍ରାନ୍ତ ତଥ୍ୟ ରହୁ ନଥିବାରୁ ସେମାନେ ଦେଶ ଛାଡ଼ି ଚାଲିଯିବା ସହଜ ହେଉଛି । ନିରବ ମୋଦିଙ୍କଠାରୁ ଆରମ୍ଭ କରି ମେହୁଲ ଚୋକ୍‌ସି, ବିଜୟ ମାଲ୍ୟାଙ୍କ ଭଳି ଋଣ ଖିଲାପୀ ଏବେ ଦେଶଛାଡ଼ି ବାହାରେ ରହୁଛନ୍ତି ।