ଘରର ମହିଳାଙ୍କ ଠାରୁ ମିଳିଲା ଫିଲ୍ମ ‘ପ୍ୟାଡମ୍ୟାନ୍’ ତିଆରି କରିବାର ପ୍ରେରଣା : ଅକ୍ଷୟ କୁମାର

43

ଗୋଟେ ପଟେ ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ ରିଲିଜ ହୋଇଥିବା ବେଳେ , ଅନ୍ୟପଟେ ତାଙ୍କର ଆଗାମୀ ଫିଲ୍ମ ‘ପ୍ୟାଡମ୍ୟାନ୍’ ର ସୁଟିଂ ମଧ୍ୟ ପୁରା ହୋଇସାରିଛି । ଏହି ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ପ୍ରଯୋଜକ ଭାବେ ନିଜର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି ।

କିଛି ଦିନ ତଳେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଓ ରିଲିଜ ତାରିଖ ଘୋଷଣା କରାଯାଇତିଲା ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ସୋନମ କପୁର ଓ ରାଧିକା ଆପ୍ତେ ମୁଖ୍ୟ ଭୂମିକାରେ ନଜର ଆସିବେ । ଆର୍ ବାଲ୍କି ଏହି ଫିଲ୍ମର ନିର୍ଦ୍ଦେସନା ଦେଉଛନ୍ତି । ଏବେ ଏହାର ଡବିଂ ଓ ଗୀତ କାମ ଚାଲୁରହିଛି । ଏହି ଫିଲ୍ମ ବିଷୟରେ ଅକ୍ଷୟ କହିଛନ୍ତି, ‘‘ପ୍ୟାଡମ୍ୟାନ୍’ ଭଳି ଫିଲ୍ମ ତିଆରି କରିବା ପାଇଁ ମୋ ଭିତରେ ପ୍ରେରଣା , ମୋ ଘରେ ରହୁଥିବା ମହିଳାଙ୍କ ଠାରୁ ପାଇଛି । ମୋ ଘରେ ମୋ ମା’ , ମୋ ଭଉଣୀ , ମୋ ପତ୍ନୀ ଓ ମୋର ଝିଅ ସମସ୍ତେ ଏକାଠି ରହୁଛନ୍ତି । କହିବାର ଅର୍ଥ ଏୟା ଯେ , ମୁଁ ଓ ମୋର ପୁଅ ଆରବ ଘରର ଏହି ମହିଳାଙ୍କ ସହ ରହୁଛୁ । ତେଣୁ ମୁଁ ଏମିତି ଫିଲ୍ମ ପାଇଁ ସମସ୍ତଙ୍କ ଠାରୁ ପ୍ରେରଣା ନେଇଛି ।’

ଅକ୍ଷୟ କହିଛନ୍ତି, ‘ ମୋ ପତ୍ନୀ ମହିଳାଙ୍କ ସହ ଜଡିତ ସବୁ ପ୍ରକାର ସମସ୍ୟା ଉପରେ କଥାବାର୍ତ୍ତା କରିଥାନ୍ତି । ସାନିଟାରୀ ନାପକିନ୍ ଉପରେ ଫିଲ୍ମ ତିଆରିର ଇଚ୍ଛା ଟ୍ୱିଙ୍କଲଙ୍କର ଥିଲା । ସାନିଟାରୀ ନାମକିନ୍ ସହ ଜଡିତ ସମସ୍ୟା ମହିଳାଙ୍କର ବହୁତ ବଡ ସମସ୍ୟା ଅଟେ । ଏହା ଶୌଚାଳୟ ଠାରୁ ବି ବଡ ସମସ୍ୟା । ଏହା ବଡ ଦୁଃଖର କଥା ଯେ ଭାରତରେ୯୧% ମହିଳା ଆଜି ବି ପ୍ୟାଡ୍ ର ବ୍ୟବହାର କରିପାରୁନାହାଁନ୍ତି । କାରଣ ସେମାନଙ୍କ ପାଖରେ ଏହାକୁ କିଣିବା ପାଇଁ ଅର୍ଥର ଅଭାବ । ମୁଁ ଏହା ସହ ଜଡିତ ଅନେକ କାହାଣୀ ଶୁଣିଛି । ’