ୟୁପି ଉପନିର୍ବାଚନ : ଅଡୁଆରେ ଗୋରଖପୁର ଜିଲ୍ଲାପାଳ, ଅଢ଼େଇ ଘଣ୍ଟା ଅଟକାଇଥିଲେ ଭୋଟ ଗଣତି ସୂଚନା

31

କନକ ବ୍ୟୁରୋ : ଗୋରଖପୁରରେ ଆଜି ଭୋଟ ଗଣତି ସମୟରେ ବିଭିନ୍ନ ପର୍ଯ୍ୟାୟର ଗଣତି ଫଳାଫଳ ଘୋଷଣାକୁ ନେଇ ବିଳମ୍ବ ଯୋଗୁଁ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜିଲ୍ଲାପାଳ ରାଜୀବ ରାଉତେଲା ଭୋଟ ଗ୍ରହଣ କେନ୍ଦ୍ର ଭିତରକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ପରେ ଆଉ ୭ ରାଉଣ୍ଡ ଗଣତି ସଂପର୍କରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ତଥ୍ୟ ପ୍ରଦାନ କରିନଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଜିଲ୍ଲାପାଳଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।

ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭା ଓ ସଂସଦରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ପ୍ରତିବାଦ କରାଯାଇଥିଲା । ମାମଲା ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ପହଞ୍ଚିବା ପରେ ଏ ନେଇ ଜିଲ୍ଲାପାଳଙ୍କୁ କୈଫିୟତ ତଲବ କରାଯାଇଛି। ଜିଲ୍ଲାପାଳ କହିଛନ୍ତି ଯେ ପର୍ଯ୍ୟବେକ୍ଷକ ଦସ୍ତଖତ ନକରିବାରୁ ଗଣମାଧ୍ୟମକୁ ଦ୍ୱିତୀୟରୁ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇ ପାରିନଥିଲା।