ଗୋପ ବ୍ଲକରେ ଅଭାବନୀୟ ଘଟଣା ! ରାତି ୧୨ଟାରେ ବ୍ଳକ ଅଫିସ୍ , ରାତି ତମାମ୍ ଚାଲିଲା ଫାଇଲ ଚାଷ

21

କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ବ୍ୟାପକ ପିସି କାରବାର ନେଇ ବିଭିନ୍ନ ବ୍ଲକରେ ଚଢାଉ କରୁଛି ଭିଜିଲାନ୍ସ । ତେଣୁ ଗୋପ ବ୍ଲକରେ ହୋଇଥିବା ଦୁର୍ନୀତିକୁ ଚପେଇ ଦେବାକୁ ରାତି ଅଧିଆ ସଜବାଜ ଚାଲିଛି । ଗତକାଲି ବିଳମ୍ବିତ ରାତିରେ ଜେନେରେଟର ଲଗାଇ ବ୍ଲକର ଉଚ୍ଚ ଅଧିକାରୀ ଦୁର୍ନୀତିର ଚିଠା ଥିବା ଫାଇଲ ଗୁଡିକୁ ରାତି ତମାମ ସଜାଡିଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ଗୋପ ବ୍ଲକ କାର୍ଯ୍ୟାଳୟରେ ବିଦ୍ୟୁତ ନଥିବା ସତ୍ୱେ ଏକ ଜେନେରେଟର ଲଗାଯାଇ ରାତିସାରା କବାଟ କିଳା କାମ ଚାଲିଥିଲା । ଖୋଦ୍ ବିଡିଓ ଶ୍ୟାମ ସୁନ୍ଦର ଟୁଡୁ, ପୁରୀ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ, ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କା, ମନରେଗାର ଏ.ପି.ଓ. ମୋନାଲିସା ଶତପଥୀ ସମେତ ବ୍ଲକର ବହୁ ଅଧିକାରୀ ଉପସ୍ଥିତ ରହି ଫାଇଲ ଚାଷ କରିଛନ୍ତି । ଏ ସଂପର୍କରେ ସହକାରୀ ଯନ୍ତ୍ରୀଙ୍କୁ ପଚରାଯିବାରୁ ରାତିରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ ଥିବା କହିଛନ୍ତି ।

ଯଦି ବ୍ଲକର କର୍ମଚାରୀମାନେ ଲୋକଙ୍କ ପାଇଁ କାମ କରୁଛନ୍ତି । ତେବେ ରାତି ଅଧିଆ କାମ କାହିଁକି, କାହା ଭୟରେ ଏ କର୍ମତତ୍ପରତା, ଲୋକଙ୍କ ପାଇଁ ନା ନିଜକୁ ସୁରକ୍ଷିତ ରଖିବା ପାଇଁ ଚାଲିଛି କାମ । ରାତି ଅଧିଆ ଫାଇଲ ଚାଷ ବାବଦରେ ଗୋପ ବିଡିଓଙ୍କୁ ପଚାରିବାରୁ କହିଥିଲେ ସରକାରୀ କାମ ଚାଲିଛି । ଅନ୍ୟପଟେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି , ବକେୟା ପଡିଥିବା ପୁରୁଣା କାମକୁ ଶେଷ କରାଯାଉଛି । ଗୋପ ବ୍ଲକରେ ଇନ୍ଦିରା ଆବାସ ଠାରୁ ଆରମ୍ଭ କରି, ମୋ କୁଡିଆ, ମୋ ପୋଖରୀ ପର୍ଯ୍ୟନ୍ତ ସବୁ ଯୋଜନାରେ ଲୁଟ ହୋଇଥିବା ବହୁବାର ଅଭିଯୋଗ ହୋଇଛି । ତେଣୁ ଦୁର୍ନୀତି ଘୋଡାଇବାକୁ ଫାଇଲ ଟ୍ୟାମ୍ପରିଂ କରାଯାଇଥିବା ଚର୍ଚ୍ଚା ହେଉଛି ।