ନିରପେକ୍ଷ ନିର୍ବାଚନୀ ଖବର ସଂଗ୍ରହ ପାଇଁ ପ୍ରଶିକ୍ଷଣ ଦେବ ଗୁଗଲ୍ ! ଦକ୍ଷ ହେବେ ଓଡ଼ିଆ ସମେତ ୧୦ଟି ଭାଷାର ଗଣମାଧ୍ୟମ ପ୍ରତିନିଧି

71

କନକ ବ୍ୟୁରୋ : ଭାରତରେ ପାଖେଇ ଆସୁଛି ଲୋକସଭା ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ମହଲରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଶ୍ୱର ସବୁଠାରୁ ବଡ଼ ସର୍ଚିଂ କମ୍ପାନି ଗୁଗୁଲ୍ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚିନ୍ତା କରୁଛି । ଅନଲାଇନ ଭେରିଫିକେସନ୍, ଫ୍ୟାକ୍ଟ ଚେକିଂ, ଡିଜିଟାଲ୍ ସୁରକ୍ଷା ଓ ନିରାପତ୍ତା, ୟୁଟ୍ୟୁବ୍ ଏବଂ ଡାଟା ଭିଜୁଆଲାଇଜେସନ୍ ସଂପର୍କରେ ସାମ୍ବାଦିକମାନଙ୍କୁ ଅଧିକ ଦକ୍ଷ କରାଇବା ଦ୍ୱାରା ନିର୍ବାଚନ ସମୟରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ସୂଚନା ରହିଛି ।

ଫେବ୍ରୁଆରି ୨୬ରୁ ଏପ୍ରିଲ୍ ୬ ମଧ୍ୟରେ ଓଡ଼ିଆ ସମେତ ୧୦ଟି ଭାଷାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ ଗୁଗୁଲ୍ ଇନିସିଏଟିଭ୍, ଥାର୍ଡ ପାର୍ଟି ସଂସ୍ଥା ଡାଟା ଲିଡ୍ଓ ଏବଂ ଇଣ୍ଟର ନିଉଜ୍ । ଇଂରାଜି, ହିନ୍ଦି, ମାଲାୟଲମ, ବଙ୍ଗଲା, କାନ୍ନାଡା, ଗୁଜୁରାଟୀ, ଓଡ଼ିଆ, ତାମିଲ୍, ତେଲ୍ଗୁ ଏବଂ ମରାଠୀ ଭାଷାରେ ଏହି ପ୍ରଶିକ୍ଷଣ ଦିଆଯିବା ପାଇଁ ସ୍ଥିର ହୋଇଛି । ସମୁଦାୟ ୩୦ଟି ବଛା ବଛା ସହରରେ ସାମ୍ବାଦିକମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ରହିଛି ।

ଉଲ୍ଳେଖଯୋଗ୍ୟ, ୨୦୧୬ ପରଠାରୁ ଗୁଗୁଲ୍ ୧୩ ହଜାରରୁ ଉର୍ଦ୍ଧ୍ୱସାମ୍ବାଦିକମାନଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେଇ ସାରିଛି । ୪୦ଟି ସହର ଓ ୨୦୦ଟି ନିଉଜ୍ରୁମ୍ରେ ଗୁଗୁଲ୍ ଏହି ପ୍ରଶିକ୍ଷଣ ଦେଇଥିବା ସୂଚନା ରହିଛି ।