ପ୍ରେମ ପାଇଁ ଚୋର ସାଜିଲେ ! ପ୍ରେମିକାର ଖର୍ଚ୍ଚ ଉଠାଇବା ପାଇଁ ଚୋରି କରି ଧରାପଡ଼ିଲେ ଗୁଗଲ ଇଞ୍ଜିନିୟର

75

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମରେ ନଥାଏ ଆବିଳତା । ପ୍ରେମରେ କିଏ ଜୀବନଦାନ କରେ ତ କିଏ ଜୀବନ ଲାଭ କରେ । ତେବେ ପ୍ରେମରେ ଲୋକମାନେ ବିଭିନ୍ନ ଅଜବ କାରନାମା କରୁଥିବା କଥା ମଧ୍ୟ ଆପଣ ଶୁଣିଥିବେ । ଇଂରାଜୀରେ ଏକ କଥା ଅଛି ‘All Is Fair in Love and War’ । ହେଲେ ଏଥିପାଇଁ ଚୋର ସାଜିବା କ’ଣ ଠିକ୍ । ପ୍ରେମିକା ପାଇଁ ଚୋର ସାଜିଛନ୍ତି ଜଣେ ଗୁଗଲ ଇଞ୍ଜିନିୟର ।

ଗୁଗଲରେ ଚାକିରି କରୁଥିବା ଜଣେ ୨୪ ବର୍ଷିୟ ଇଞ୍ଜିନିୟର୍ ପ୍ରେମିକାର ଖର୍ଚ୍ଚ ତୁଲାଇବାକୁ ଟଙ୍କା ଚୋରି କରି ଧରାପଡ଼ିଥିବା କଥା ବୁଧବାର ଦିନ ପୁଲିସ କହିଛି । ଅଭିଯୁକ୍ତଙ୍କ ନାମ ଗର୍ବିତ ସାହାଣି । ହରିୟାଣାର ଅମ୍ବାଲା ଜିଲ୍ଲାରେ ଗର୍ବିତ ସାହାଣିଙ୍କ ଘର । ପୁଲିସ ଅନୁସାରେ ସେପ୍ଟେମ୍ବର ୧୧ ତାରିଖ ଦିନ ଆଇବିଏମ୍ ଏବଂ ଏକ ଗଣମାଧ୍ୟମ ସଂସ୍ଥାନ ଦିଲ୍ଲୀ ତାଜ୍ ପାଲେସ୍ ଠାରେ ଏମଏନସିର ବରିଷ୍ଠ ଏକ୍ଜୁକ୍ୟୁଟିଭଙ୍କ ସମ୍ମିଳନୀ ଆୟୋଜନ କରିଥିଲେ । ସମ୍ମିଳନୀ ସମୟରେ ଜଣେ ଯୁବତୀ କହିଲେ କି, ତାଙ୍କର ୧୦ ହଜାର ଟଙ୍କା ଚୋରି ହୋଇ ଯାଇଛି ।

ମାମଲା ରୁଜୁ କରି ପୁଲିସ ହୋଟେଲ୍ ପରିଧିରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ରେକର୍ଡିଙ୍ଗ୍ ବିଶ୍ଳେଷଣ କରି ପୁଲିସ ସନ୍ଦିଗ୍ଧ ଉପରେ ଧ୍ୟାନ୍ ରଖିବା ପରେ ଆମନ୍ତ୍ରିତଙ୍କ ତାଲିକା ମଧ୍ୟରୁ ତା’ର ପରିଚୟ ପାଇଲା । ହୋଟେଲର ବାହାର ପରିଧିରେ ଥିବା କ୍ୟାମେରା ଗୁଡ଼ିକର ଫୁଟେଜରେ ଦେଖାଗଲା ଅଭୁଯୁକ୍ତ ଏକ କ୍ୟାବରେ ଆସୁଛନ୍ତି । କ୍ୟାବର ରେଜିଷ୍ଟ୍ରେନସ୍ ନମ୍ବର ଏବଂ ତାହା ବୁକ୍ ହୋଇଥିବା ମୋବାଇଲ୍ ନମ୍ବର ଯୋଗାଡ଼ କରାଗଲା ।

ଏହା ପୂର୍ବରୁ ଅଭିଯୁକ୍ତ ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲେ । କିନ୍ତୁ, ତାଙ୍କ ନୂଆ ମୋବାଇଲ୍ ନମ୍ବର ସଂଗ୍ରହ କରାଯିବା ପରେ ମଙ୍ଗଳବାର ଦିନ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରାଗଲା । ପଚରାଉଚୁରା ବେଳେ ଗର୍ବିତ ସାହାଣି ପୁଲିସକୁ କହିଲେ ଯେ ଆର୍ଥିକ ଅନଟନ ଯୋଗୁଁ ପ୍ରେମିକାର ଖର୍ଚ୍ଚ ତୁଲାଇ ପାରୁ ନ ଥିବାରୁ ସେ ଚୋରି କରିଛନ୍ତି । ଚୋରି ଟଙ୍କାରୁ ୩ ହଜାର ଟଙ୍କା ପୁଲିସ ତାଙ୍କ ପାଖରୁ ଉଦ୍ଧାର କରିଛନ୍ତି ।