ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ସ୍ମରଣ କଲା ଗୁଗଲ । ଡୁଡଲ ମାଧ୍ୟମରେ ଜଣାଇଲା ସମ୍ମାନ

43

ବିଶ୍ୱଦରବାରରେ ପୁଣି ଭାରତକୁ ସମ୍ମାନିତ କରାଇଛନ୍ତି ଜଣେ ମହିଳା । ଏଥିପାଇଁ ତାଙ୍କୁ ସମ୍ମାନ ଜଣାଇଛି ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ଗୁଗୁଲ ।  ଭାରତର  ପ୍ରଥମ ମହିଳା ଡାକ୍ତର କୁହାଯାଉଥିବା ରୁୁଖମାବାଇଙ୍କୁ ଡୁଡଲ ମାଧ୍ୟମରେ ସମ୍ମାନିତ କରିଛି ଗୁଗୁଲ । ଗୁଗୁଲ ଏଥିରେ, ରୁଖମାବାଇଙ୍କ ଫଟୋ ସହ ଡାକ୍ତରଖାନାରେ ସେ  ରୋଗୀଙ୍କୁ ଚିକିତ୍ସା କରାଉଥିବାର ଫଟୋ ରହିଛି । ୧୮୬୪ ମସିହା ନଭେମ୍ବର ୨୨ରେ ଜନ୍ମଗ୍ରହଣ କରିଥିଲେ ରୁଖମାବାଇ ରାଉତ ।  ସେ ଏଗାର ବର୍ଷ ବୟସରେ ବିବାହ କରିଥିଲେ ୧୯ ବର୍ଷିୟ ‘ଦାଦାଜି ଭିକାଜିଙ୍କୁ’ । ବ୍ରିଟିଶ ଶାସିତ ଭାରତରେ ରୁଖମାବାଇ ହେଉଛନ୍ତି ପ୍ରଥମ ମହିଳା ଡାକ୍ତର । ସେ  ଇଂରେଜ ଶାସନ ସମୟରେ ମହିଳାଙ୍କ ଅଧିକାର  ପାଇଁ  ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଏପରିକି ନିଜ ବିବାହ ପାଇଁ  ସ୍ୱାମୀଙ୍କ ବିରୋଧରେ  ସେ ଲଢିଥିଲେ ।

ଜଣେ ମହିଳା ହୋଇ ବି ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରିଥିଲେ । ଜୟନ୍ତୀ ବାଇ ଓ ଜନର୍ଦ୍ଦନ ପାଣ୍ଡୁରାଙ୍ଗଙ୍କ ଝିଅ ହେଉଛନ୍ତି ରୁଖମାବାଇ ।  ସେ ଆଠ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ ଓ ଏଗାର ବର୍ଷରେ ବିବାହ କରିଥିଲେ ।  ଏପରିକି  ବିବାହ ପରେ ସେ ନିଜ ମାଆଙ୍କ ସହ ରହିଥିଲେ । ନିଜ ପତ୍ନୀଙ୍କୁ  ସାଥିରେ ରଖିବା ପାଇଁ ତାଙ୍କ ସ୍ୱାମୀ ସାତ ବର୍ଷ  କୋର୍ଟକୁ ଦୌଡିଥିଲେ କିନ୍ତୁ ରୁଖମାବାଇ ତାଙ୍କ  ସହ ଯିବା ପାଇଁ  ମନାକରିଦେଇଥିଲେ । ଏହା ପରେ ରୁଖମାବାଇଙ୍କୁ  ତାଙ୍କ ପରିବାରର ସମର୍ଥନ ମିଳିଥିଲା ଓ ସେ କୋର୍ଟରେ  ଏହି ମାମଲା ବିରୋଧରେ ଲଢି ଜିତିଥିଲେ ମଧ୍ୟ ତାଙ୍କ  ଜେଜେ  ସ୍ୱାମୀଙ୍କ  ସହ ଯିବାକୁ କହିଥିଲେ ।  ସେ ଏହି ଘଟଣାକୁ  ଲୋକଲୋଚନକୁ ଆଣିବା ପାଇଁ ୧୮୮୦ରେ ଗଣମାଧ୍ୟମରେ ପ୍ରକାଶ  କରିଥିଲେ ।  ଏହି ଘଟଣା ସେତେବେଳେ ସାମାଜିକ ସଂସ୍କାର ଆଣିବାରେ ସାହାଯ୍ୟ କରିଥିଲା ।

ଏହି ଘଟଣା ତାଙ୍କ ଜୀବନରେ ନାଟକୀୟ ମୋଡ ଆଣିଥିଲା ।  ରୁଖମାବାଇ  ଡାକ୍ତର ଭାବେ ଟ୍ରେନିଂ ନେଇଥିଲେ । ଦୀର୍ଘ ୩୫ ବର୍ଷ କାଳ ବିଶ୍ୱର  ବିଭିନ୍ନ ପ୍ରାନ୍ତରେ ଲୋକଙ୍କ  ସେବା କରିଥିଲେ ।   ତା ସହ  ବାଲ୍ୟବିବାହ ଓ ସାମାଜିକ  ସଂସ୍କାର ନେଇ ଅନେକ ପୁସ୍ତକ ରଚନା କରିଥିଲେ । ଏଭଳି ଜଣେ  ମହାନ ଭାରତୀୟ ମହିଳାଙ୍କୁ  ସମ୍ମାନ ଜଣାଇଛି  ବିଶ୍ୱର ସବୁଠୁ ବଡ ସର୍ଚ୍ଚଇଂଜିନ ।  ଗୁଗୁଲ କେବଳ ଡୁଡୁଲ ମାଧ୍ୟମରେ ସମ୍ମାନ ଜଣାଇ ନାହିଁ ବରଂ   ଭାରତୀୟ ମହିଳାଙ୍କର ବୀରତ୍ୱ, ନିଃସ୍ୱାର୍ଥପରତା, ସେବା ମନୋବୃତ୍ତିକୁ  ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିଛି  । ଭାରତୀୟ  ନାରୀ କେତେ ମହାନ ହୋଇପାରେ  ନିଜ ଜୀବନକୁ କିଭଳି ଭାବେ ସମଗ୍ର ବିଶ୍ୱ ପାଇଁ ଉତ୍ସର୍ଗ କରିପାରେ ତାର ଅନନ୍ୟ ଉଦାହରଣ ଦେଖାଇଛି  ।  ସେବାର ସେହି  ମହାନ ପୂଜାରିଣୀଙ୍କୁ ସମ୍ମାନ ଜଣାଇଛି  ଗୁଗୁଲ ।

ସୌଜନ୍ୟ : ଆଜତକ