୧୬ ବର୍ଷୀୟ ହର୍ଷିତକୁ ୧.୪ କୋଟି ଟଙ୍କାର ଚାକିରି ଅଫର୍ ମିଛ ! ଗୁଗୁଲ୍ ନିଜେ କଲା ଖଣ୍ଡନ, କହିଲା ଖବରରେ ନାହିଁ ସତ୍ୟତା

46

ଚଣ୍ଡିଗଡର ଜଣେ ୧୬ ବର୍ଷୀୟ ବାଳକକୁ ଇଣ୍ଟରନେଟ୍ ସର୍ଚ୍ଚ ଇଂଜିନ୍ ଗୁଗୁଲ୍ ପକ୍ଷରୁ ୧.୪ କୋଟି ଟଙ୍କାର ପ୍ୟାକେଜ୍ ଅଫର୍ ଦିଆଯାଇଛି । ଗୁଗୁଲ୍ ପାଇଁ ଆଇକନ୍ ଡିଜାଇନ୍ କରିବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇଛି । ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଖବର ଏବେ ମିଛ ବୋଲି ଜଣା ପଡିିଛି  । ଗୁଗୁଲ୍ ନିଜେ ଏହି ଖବରକୁ ଖଣ୍ଡନ କରିବା ସହ ଏହାର କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛି । ଏହା ଏକ ମିଛ ଖବର ବୋଲି ରିପୋର୍ଟ ପ୍ରକାଶ କରିଛି ଅମର୍ ଉଜାଲା । ଏହି ରିପୋର୍ଟ ଅନୁଯାୟୀ ଗୁଗୁଲ୍ ପକ୍ଷରୁ ଏପରି କୌଣସି ନିଯୁକ୍ତି କାହାକୁ ଦିଆଯାଇନାହିଁ  ।

ଅନ୍ୟପଟେ ଯେମିତି ଏହି ଘଟଣା ମିଛ ବୋଲି ସାମ୍ନାକୁ ଆସିଛି ତାପରଠାରୁ ହର୍ଷିତଙ୍କ ପରିବାର ପକ୍ଷରୁ ମିଡିଆ ଠାରୁ ଦୂରତା ରକ୍ଷା କରୁଛନ୍ତି  । ଏପରିକି ମୋବାଇଲ୍ ନମ୍ବର ସ୍ୱିଚ୍ ଅଫ୍ ରଖିଛନ୍ତି  ।

ସୋସିଆଲ୍ ମିଡିଆ ଖବର ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ହର୍ଷିତ୍ ଶର୍ମାଙ୍କୁ ମୋଟା ଅଙ୍କର ଅଫର୍ ଦେଇ ନିଜ ଗ୍ରାଫିକ୍ ଡିଜାଇନର ଟିମରେ ସାମିଲ କରିବାକୁ ଗୁଗୁଲ ନିଷ୍ପତ୍ତି ନେଇଥିଲା । ଗୁଗୁଲ୍ ତାଙ୍କୁ ବର୍ଷକ ନିମନ୍ତେ ମାସିକ ୪ ଲକ୍ଷ ଟଙ୍କା ଦରମା ଦେବ । ଏହି ସମୟରେ ତାଙ୍କୁ ଗ୍ରାଫିକ୍ ଡିଜାଇନ୍ ନିମନ୍ତେ ଉନ୍ନତ ତାଲିମ୍ ପ୍ରଦାନ କରାଯିବ । ବର୍ଷ ପୂରଣ ପରେ ତାଙ୍କୁ ଜଣେ ନିୟମିତ କର୍ମଚାରୀ ଭାବେ ବିବେଚନା କରାଯିବ ଏବଂ ମାସକୁ ୧୨ ଲକ୍ଷ ଟଙ୍କା ଦରମା ଦିଆଯିବ ।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ , ଗ୍ରାଫିକ୍ ଡିଜାଇନର ଭାବେ କାମ କରିବାକୁ ଅନଲାଇନରେ ସେ ଏକ ଚାକିରି ଖୋଜୁଥିଲେ । ଏହାପରେ ସେ ଗୁଗୁଲରେ ଅନଲାଇନ୍ ଆବେଦନ କରିଥିଲେ । ପରେ ତାଙ୍କୁ ଅନଲାଇନରେ ସାକ୍ଷାତକାର ଦେବାକୁ ପଡିଥିଲା । ସାକ୍ଷାତକାର୍ ପରେ ତାଙ୍କୁ ଗୁଗୁଲ୍ ଦ୍ୱାରା ମନୋନୀତ କରାଯାଇଥିଲା ।ହର୍ଷିତ୍ କୁହିଥିଲେ , ୧୦ ବର୍ଷ ବୟସରୁ ସେ ଗ୍ରାଫିକ୍ ଡିଜାଇନିଂ ପ୍ରତି ମନ ବଳାଇଥିଲେ । ଗତବର୍ଷ ସେ ପ୍ରସ୍ତୁତ କରିଥିବା ଏକ ପୋଷ୍ଟର ଗୁଗୁଲ୍ ଦ୍ୱାରା ମନୋନୀତ ହୋଇଥିଲା । ଏମିତି କି ଡିଜିଟାଲ୍ ଇଣ୍ଡିଆ ସ୍କିମରେ ତାଙ୍କୁ କେନ୍ଦ୍ର ସରକାର ପୁରସ୍କୃତ କରିଥିବା ସେମାନେ ଜଣାଇଛନ୍ତି ।