ଜିଏସଟି ଟିକସ ହାରରେ ସଂଶୋଧନ ! ଶିଳ୍ପୀକୂଳକୁ ସରକାର ଦେଲେ ଦଶହରା ଭେଟି, ପଥରମୂର୍ତ୍ତି ପାଇଁ ୧୨ ପ୍ରତିଶତ ଓ ମାଟିମୂର୍ତ୍ତି ପାଇଁ ଲାଗିବନି ଟିକସ

37

କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ଦାବି ଅନୁଯାୟୀ ଜିଏସଟି କାଉନ୍ସିଲରେ ଶାଳ-ଖଲିପତ୍ର ଉପରେ ଜିଏସ୍ଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ମୟୂରଭଞ୍ଜ ଅଂଚଳରେ ଶାଳ-ଖଲିପତ୍ର ତିଆରିରେ ସଂପୃକ୍ତ ୩ ଲକ୍ଷ ଆଦିବାସୀ ପରିବାର ଲାଭ ପାଇବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା । ଏନେଇ ସେପ୍ଟେମ୍ବର ୯ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ୨୧ତମ ଜିଏସ୍ଟି ସମ୍ମିଳନୀରେ ଓଡ଼ିଶାର ଦାବି ଗୃହୀତ ହୋଇଛି । ଏଥିସହ ପଥର ଓ ମାଟି ଶିଳ୍ପରେ ମଧ୍ୟ ଟିକସ ହାର କମିଛି ।

gst taxମାଟି ଶିଳ୍ପ ବା ମାଟି ମୂର୍ତି ଉପରେ ପୂର୍ବରୁ ୨୮ ପ୍ରତିଶତ ଟିକସ ଥିବା ବେଳେ, ଏବେ ଏହାକୁ ଟିକସମୁକ୍ତ କରାଯାଇଛି । ସେହିଭଳି ପଥର ମୂର୍ତିରେ ଟିକସ ହାର ୧୮ରୁ ୧୨ ପ୍ରତିଶତକୁ ହ୍ରାସ ପାଇଛି । ଶିଳ୍ପୀକୂଳ ପ୍ରତି ଏହା ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ମନ୍ତ୍ରୀ ବେହେରା କହିଛନ୍ତି । ଏଥିସହ ଜିଏସ୍ଟି ଲାଗୁ ହେଲା ପରେ ଗତ ଜୁଲାଇ ଓ ଅଗଷ୍ଟ ଦୁଇ ମାସରେ ଓଡ଼ିଶା ଯାହା ଟିକସ ଆଶା କରୁଥିଲା ତାଠାରୁ ୫୨୫ କୋଟି ଟଙ୍କା କମ୍ ଟିକସ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଆଇନ ଅନୁଯାୟୀ ଏହାକୁ କେନ୍ଦ୍ର ସରକାର ଭରଣା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।