ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର ! ବଢିପାରେ ରିଲାଏନ୍ସ ଜିଓ ପ୍ରାଇମ ସବସ୍କ୍ରିପସନର ସମୟସୀମା

53

ରିଲାଏନ୍ସ ଜିଓର ମାଗଣା ସେବା ୩୧ ମାର୍ଚ୍ଚ ୨୦୧୭ରେ ଶେଷ ହେଉଛି । ଖବର ଆସୁଛି କମ୍ପାନୀ ଏହାର ସମୟସୀମା ଆଗକୁ ବଢାଇପାରେ । କିନ୍ତୁ କମ୍ପାନୀ ଏନେଇ କୌଣସି ନିଷ୍ପତି ନେଇନାହିଁ । ଟେଲିଆନାଲିସିସ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ କମ୍ପାନୀ ଯେତିକ ଆଶା କରିଥିଲା, ରିଲାଏନ୍ସର ଜିଓ ପ୍ରାଇମ ମେମ୍ବରସିପ ପାଇଁ ସେତେ ମାତ୍ରାରେ ଉତ୍ସାହ ଦେଖିବା ପାଇଁ ମିଳିନାହିଁ ।

ରିଲାଏନ୍ସର ଅନୁମାନ ଥିଲା ଏପର୍ଯ୍ୟନ୍ତ ୨.୨୦ କମ୍ବା ୨.୭୦ କୋଟି ସଂଖ୍ୟାରେ ପଞ୍ଜୀକରଣ ହେବ କିନ୍ତୁ ଏପରି ହେଲା ନାହିଁ । ଯାହାର ପରିଣାମ ସ୍ୱରୂପ କମ୍ପାନୀ ସମୟସୀମାକୁ ଆଗକୁ ବଢାଇପାରେ ବୋଲି ଶୁଣାଯାଉଛି ।ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ ପ୍ରାଇମ ସେବାର ପଞ୍ଜୀକରଣ ତିଥିକୁ ଆଗକୁ ବଢାଇ ୩୦ ଏପ୍ରିଲ ପର୍ଯ୍ୟନ୍ତ କରାଯାଇପାରେ ।

ଏହାସହ ଏଇଠି କହିରଖଛୁୁ କମ୍ପାନୀ ତରଫରୁ ଏନେଇ କୌଣସି ସ୍ଫଷ୍ଟ ମତପ୍ରକାଶ ଆସିନାହିଁ । ସୂତ୍ର ଅନୁସାରେ କମ୍ପାନୀକୁ ଏପର୍ଯ୍ୟନ୍ତ ୫୦ ପ୍ରତିଶତ ପଞ୍ଜୀକରଣ ମିଳିଛି । ଏହାର ଅସଲ ସଂଖ୍ୟା କେତେ ଅଛି ତାହା ଜଣାପଡି ନାହିଁ । ଖବର ଅନୁସାରେ ପାଖାପାଖି ୮୪ ପ୍ରତିଶତ ଜିଓ ଗ୍ରାହକ ପ୍ରାଇମ ମେମ୍ବରସିପକୁ ସମର୍ଥନ କରୁଛନ୍ତି ।

ଶୁଣାଯାଉଛି ରିଲାଏନ୍ସ ଜିଓ ୧ ଅପ୍ରେଲ ଠାରୁ ନିଜର ମାଗଣା ସେବାକୁ ଶେଷ କରିବା ସହ ପ୍ରାଇମ ଅଫରକୁ ଆରମ୍ଭ କରିବା ପାଇଁ ଘୋଷଣା କରିଛି । ୧ ଏପ୍ରିଲ ଠାରୁ ରିଲାଏନ୍ସ ଜିଓ ପ୍ରାଇମର ଉପଭୋକ୍ତାଙ୍କୁ ୯୯ ଟଙ୍କାର ପଞ୍ଜୀକରଣ ପାଉଣା ଓ ୩୦୩ ଟଙ୍କାର ମାସିକିଆ ଖର୍ଚ୍ଚ ପରେ ଏହି ସୁବିଧା ମିଳିପାରିବ । ଏହି ଅଫର ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ରହିବ ।