କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ପ୍ରଥମଥର ପାଇଁ ଦୂରଦର୍ଶନରେ ପ୍ରସାରଣ ହେବ ଆଇପିଏଲ ମ୍ୟାଚ । 

179

ଭାରତରେ କ୍ରିକେଟ ପର୍ବ କୁହାଯାଉଥିବା ଆଇପିଏଲରୁ ଏକ ବଡ ଖବର ସାମନାକୁ ଆସିଛି । ଯେଉଁ ଖବର ଆଇପିଏଲ ପ୍ରେମୀଙ୍କ ମଧ୍ୟରେ ଭରିଦେବ ଖୁସିର ସମ୍ଭାର । ଆଇପିଏଲର ୧୧ତମ ସଂସ୍କରଣର ପ୍ରତିଟି ମ୍ୟାଚର ସିଧାପ୍ରସାରଣ ଏବେ ଆପଣ ଦେଖିପାରିବେ ଦୂରଦର୍ଶନରେ । ପ୍ରଥମ ଥର ପାଇଁ ଏଭଳି ପ୍ରସାରଣ କରିବାକୁ ଯାଉଛି ଦୂରଦର୍ଶନ । ଏଥିପାଇଁ ଷ୍ଟାର ସ୍ପୋର୍ଟ୍ସ ଜାତୀୟ ପ୍ରସାରଣ କର୍ତ୍ତା ଦୂରଦର୍ଶନ ସହ ଚୁକ୍ତି କରିଛନ୍ତି । ଯେଉଁ କ୍ରିକେଟ ପ୍ରେମୀ ଦେୟ ଯୁକ୍ତ ଚ୍ୟାନେଲ ପାଇଁ ଟଙ୍କା ଦେଇ ପାରୁ ନାହାନ୍ତି, ସେମାନେ ଏବେ ଦୂରଦର୍ଶନ ମାଧ୍ୟମରେ ଆଇପିଏଲ ୨୦୧୮ର ଭରପୁର ମଜା ନେଇ ପାରିବେ ।

 

 

ସୂଚନା ଅନୁଯାୟୀ, ପ୍ରତି ରବିବାର ଆଇପିଏଲର ଗୋଟିଏ ମ୍ୟାଚ ଦୂରଦର୍ଶନରେ ପ୍ରସାରଣ କରାଯିବ । କିନ୍ତୁ ଆଇପିଏଲର ଏହି ମ୍ୟାଚର ପ୍ରସାରଣ ଏକ ଘଣ୍ଟା ବିଳମ୍ବରେ ହେବ । ଏହା ସହ ଆଇପିଏଲ ୨୦୧୮ର ଉଦଘାଟନୀ ସମାରୋହ ଏବଂ ଉଦଯାପନ ସମାରୋହର ପ୍ରସାରଣ ମଧ୍ୟ ଆପଣ ଦୂରଦର୍ଶନରେ ଦେଖିପାରିବେ । ଦୂରଦର୍ଶନରେ ଆଇପିଏଲ ମ୍ୟାଚ ଗୁଡିକର ପ୍ରସାରଣ ଲାଇଭ ନୁହେଁ ଡି-ଲାଇଭ ମାଧ୍ୟମରେ ଆପଣମାନେ ଏକ ଘଣ୍ଟା ବିଳମ୍ବରେ ଦେଖିପାରିବେ । ଆଇପିଏଲର ସମସ୍ତ ମ୍ୟାଚ ନୁହେଁ ବରଂ କେବଳ ବଛା ବଛା ମ୍ୟାଚର ପ୍ରସାରଣ ଦୂରଦର୍ଶନରେ କରାଯିବ ।

 

ଷ୍ଟାର ସ୍ପୋର୍ଟ୍ସ ସହିତ ଦୂରଦର୍ଶନର ଏହି ଅନୁବନ୍ଧ ବିଜ୍ଞାପନରେ ୫୦-୫୦ ପ୍ରତିଶତ ଭାଗିଦାରୀ ଆଧାରରେ କରାଯିବ ବୋଲି ପ୍ରସାର ଭାରତୀର ସିଇଓ ଶଶାଙ୍କ ଶେଖର କହିଛନ୍ତି। ଏହା ବ୍ୟତୀତ ଦୂରଦର୍ଶନର ଦର୍ଶକଙ୍କ ପାଇଁ ପ୍ରତିଦିନ  ହାଇଲାଇଟ୍ସର ପ୍ୟାକେଜ ଦେବାକୁ ଷ୍ଟାର ସ୍ପୋର୍ଟ୍ସ ରାଜି ହୋଇଛି। କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଆଇପିଏଲର ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟ୍ସକୁ ଦେଇଥିଲେ।

ସେପଟେ ଏୟାରଟେଲ ର ନୂଆ ଆପ୍ ମାଧ୍ୟମରେ ଆପଣମାନେ ମାଗଣାରେ ଚଳିତବର୍ଷ ଆଇପିଏଲର ସମସ୍ତ ମ୍ୟାଚ ଗୁଡିକର ସିଧାପ୍ରସାରଣ ଦେଖିପାରିବେ । ଏଥି ସହ ମ୍ୟାଚ ଗୁଡିକର ହାଇଲାଇଟସ୍ ଗୁଡିକୁ ହଟଷ୍ଟାର ମାଧ୍ୟମରେ ମଧ୍ୟ ଆପଣମାନେ ଦେଖିପାରିବେ ।

 

ଏଥିପାଇଁ ଏୟାରଟେଲ ଗ୍ରାହକମାନଙ୍କୁ ଏୟାରଟେଲ ଟିଭି ଆପର ନୂତନ ସଂସ୍କରଣକୁ ଇନଷ୍ଟଲ କରିବାକୁ ଥିବାବେଳେ ନୂତନ ବ୍ୟବହାରକାରୀଙ୍କୁ ଉକ୍ତ ଆପକୁ ଡ଼ାଉନଲୋଡ଼ କରିବାକୁହେବ । ଅଣ ଏୟାରଟେଲ ବ୍ୟବହାରକାରୀଙ୍କୁ ଏୟାରଟେଲ ୪ଜି ସିମ୍ କିଣି, ଏହାକୁ ନିଜ ମୋବାଇଲ୍ର ସିମ୍ ସ୍ଲଟ୍ ୧ରେ ଭର୍ତ୍ତି କରି ଷ୍ଟେପ୍ ୧କୁ ଅନୁସରଣ କରିବାକୁ ହେବ। ଏୟାରଟେଲ ପ୍ରିପେଡ୍ ଓ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଜୁନ୍ ୨୦୧୮ ପର୍ୟ୍ୟନ୍ତ ଏୟାରଟେଲ ଟିଭି ଆପର ସମସ୍ତ କଣ୍ଟେଣ୍ଟ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ। ଲାଇଭ ଆଇପିଏଲ ମ୍ୟାଚ ସହିତ ଏୟାରଟେଲ ଟିଭି ଆପ୍ ଲାଇଭ ସିନେମା, ଶୋ, ଧାରାବାହିକ ଓ ଆହୁରି ଅନେକ କିଛି ଗ୍ରାହକମାନଙ୍କ ମନୋରଂଜନ ପାଇଁ ଯୋଗାଇଦେଉଛି ।