ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଲାଣି ସିଲଭର ସିଟି କଟକ । ଏଥର ଦେବୀଙ୍କ ମୁଣ୍ଡରେ ଝଟକିବ ସୁନାର ମୁକୁଟ

80

କନକ ବ୍ୟୁରୋ : ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା । ଏଥିପାଇଁ ସବୁଠି ଜୋରଦାର ହୋଇ ସାରିଛି ପ୍ରସ୍ତୁତି । ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ମଣ୍ଡପରେ ସୁନା ମୁକୁଟ ଓ ମେଢ ହେବ ଆକର୍ଷଣର ମୁଖ୍ୟ ଉତ୍ସ । ଚଳିତ ବର୍ଷ ଖାନନଗର ପୂଜା ମଣ୍ଡପରେ ପ୍ରଥମ ଥର ପାଇଁ ମାଙ୍କ ସୁନାର ମୟୁର ମୁକୁଟ ହେଉଥିବା ବେଳେ ଚୌଧୁରୀବଜାର ମେଢରେ ଅଧିକ ସୁନାର କାରୁକାର୍ଯ୍ୟ ଦେଖିବାକୁ ମିଳିବ ।

କଟକ ଖାନନଗର ପୂଜା ମଣ୍ଡପରେ ନିର୍ମାଣ ହେଉଥିବା ମା ଦୁର୍ଗାଙ୍କ ମୂର୍ତି ଅନ୍ୟମାନଙ୍କ ଠାରୁ ଢେର ଅଲଗା । ଦେବୀଙ୍କ ମୁଣ୍ଡରେ ଚଳିତ ବର୍ଷ ଝଟକିବ ସୁନାର ମୁକୁଟ । ମୟୂର ସୁନା ମୁକୁଟ ପାଇଁ ପ୍ରାୟ ୩ କିଲୋଗ୍ରାମ ସୁନା ବ୍ୟବହାର ହେଉଛି । ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ମୁକୁଟ ମାଆଙ୍କ ମୃଣ୍ମୟୀ ମୂର୍ତି ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଲୋକଙ୍କ ଆକର୍ଷଣର ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା ରଖିଛନ୍ତି ଆୟୋଜକ ।

ସେପଟେ ଚୌଧୁରୀବଜାର ପୂଜାମଣ୍ଡପ ମେଢ ଲୋକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ହୋଇଥାଏ । ସମସ୍ତ ଦେବଦେବୀଙ୍କ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ ହୋଇ ସାରିଥିବା ବେଳେ ଚଳିତ ବର୍ଷ ମେଢରେ ଅଧିକ ଦୁଇଟି କଲିକା ଲାଗିବ । ପ୍ରାୟ ୧ କେଜି ୮ଶହ ଗ୍ରାମର ସୁନାରେ ଏହା ତିଆରି ହେଉଥିବା ବେଳେ ଏଥିପାଇଁ ୨ ମାସରୁ ଅଧିକ ସମୟ ଲାଗିଲାଣି । ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ପୂଜା କମିଟି । ପୂର୍ବରୁ ଚୌଧୁରୀବଜାର ଚାନ୍ଦିମେଢରେ ୫ଟି କଲିକା ଲାଗୁଥିବା ବେଳେ ଚଳିତ ବର୍ଷ ଏହା ୭ରେ ପହଂଚିଛି ।

ଖାନନଗରରେ ଭାରତ-ଚୀନ ସୀମାର ନାଥୁଲା ପାହାଡର ତୋରଣ ତିଆରି ହେଉଛି । ଏହା ସହ ଏଠାରେ ଯବାନ ହରଭଜନ ସିଂଙ୍କ ମନ୍ଦିର ମଧ୍ୟ ନିର୍ମାଣ ହେବ । ସେହିପରି ସହୀଦ ସ୍ମୃତି ସ୍ତମ୍ଭ ମଧ୍ୟ ତିଆରି କରିବାର ଯୋଜନା ରଖିଛନ୍ତି ଆୟୋଜକ । ଆସନ୍ତା ୧୪ ତାରିଖରେ ମହାଷଷ୍ଠୀ ଥିବା ବେଳେ ଦେଖିବାକୁ ମିଳିଲାଣି ଶାରଦୀୟ ମାହୋଲ ।