ଫେରିଲେ ଗୋଲଡେନ୍ ବାବା : ୨୦ କିଲୋର ସୁନା ଗହଣା ପିନ୍ଧି ଯାତ୍ରା ବୁଲିଲେ ୫୪ ବର୍ଷର ଗୋଲଡେନ୍ ପୁରୀ ମହାରାଜ

71

ପୁଣି ଫେରିଲେ ଗୋଲଡେନ୍ ବାବା । ଏଥର ପିନ୍ଧିଛନ୍ତି ଆହୁରି ଅଧିକ ସୁନା । ଚଳିତ ବର୍ଷ ନିଜ କାଉଡି ଯାତ୍ରାର ସିଲଭର ଜୁବିଲି ଅର୍ଥାତ୍ ୨୫ ବର୍ଷ ପାଳନ କରୁଛନ୍ତି ଗୋଲଡେନ୍ ବାବା ଓରଫ ବାବା ଆକା ସୁଧିର ମକ୍କର । ହରିଦ୍ୱାରରୁ ଦିଲ୍ଲୀ ଦୀର୍ଘ ୨ ଶହ କିଲୋମିଟର ବ୍ୟାପୀ କାଉଡି ଯାତ୍ରାରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଏହି ବାବା । କାରଣ ପୂର୍ବ ଅପେକ୍ଷା ଏଥର ଆହୁରି ଅଧିକ ସୁନା ଅଳଙ୍କାର ପିନ୍ଧି ସେ କାଉଡି ଯାତ୍ରାକୁ ଆସିଛନ୍ତି । ଏଥର ସେ ପିନ୍ଧିଥିବା ସୁନା ଅଳଙ୍କାରର ଓଜନ ପ୍ରାୟ ୨୦ କିଲୋ ହେବ । ବାବା ପିନ୍ଧିଥିବା ଅଳଙ୍କାର ମଧ୍ୟରେ ରହିଛି ୨୦ରୁ ଅଧିକ ସୁନା ଚେନ୍, ବିଭିନ୍ନ ଦେବଦେବୀଙ୍କ ସୁନା ଲକେଟ୍, ବ୍ରିସଲେଟ୍ ଓ ଆହୁରି ଅନେକ ସ୍ୱର୍ଣ୍ଣ ଅଳଙ୍କାର ।

ଗୋଟିଏ ସୁନା ଚେନର ଓଜନ ୨ କେଜି ହେବ ବୋଲି ମଧ୍ୟ ଜଣାପଡିଛି । ବଜାର ମୂଲ୍ୟ ଅନୁସାରେ ଏହି ସୁନା ଅଳଙ୍କାରର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଗତବର୍ଷ ଗୋଲଡେନ୍ ବାବା ସାଢେ ୧୪ କିଲୋ ଓଜନର ସୁନା ଗହଣା ପିନ୍ଧି ଆସିଥିବା ବେଳେ ଏଥର ଆହୁରି ଅଧିକ ପରିମାଣର ସୁନା ଅଳଙ୍କାରରେ ସଜେଇ ହୋଇଛନ୍ତି । ୨୦୧୨ରେ ସେ ୧୨ କେଜି ପରିମାଣର ସୁନା ଅଳଙ୍କାର ପିନ୍ଧି ଆସିଥିବା ବେଳେ ପ୍ରାୟ ପ୍ରତିବର୍ଷ ସେ ନିଜ ଅଳଙ୍କାର ପରିମାଣ ବଢାଉଛନ୍ତି । ଏପରିକି ଅନେକ ସମୟରେ ବାବା ସୁନା ଜ୍ୟାକେଟ୍ ପିନ୍ଧି ନିଜ ଏସୟୁଭି ଉପରେ ବସିଥିବାର ମଧ୍ୟ ଦେଖିବାକୁ ମିଳେ । କାଉଡି ଯାତ୍ରାରେ ଗୋଲଡେନ୍ ବାବା ବେଶ୍ ଲୋକପ୍ରିୟ । ଅନେକ ଶ୍ରଦ୍ଧାଳୁ ବାବାଙ୍କ ସହ ସେଲଫି ଉଠାଇବା ସହ ତାଙ୍କ ଆଶୀର୍ବାଦ ନେବାର ମଧ୍ୟ ଦେଖିବାକୁ ମିଳିଥାଏ ।