ଧରାପଡ଼ିଲା ଗୋଲ୍ଡେନ୍ ବାବାଙ୍କ ଜାଲିଆତି । ଚେକରେ ତାରିଖ ବଦଳାଇ ୧୨ କୋଟି ଚଳୁ କରିବାକୁ ବନାଇଥିଲେ ଯୋଜନା, ହାତ କଡି ପିନ୍ଧାଇଲା କମିଶନରେଟ୍ ପୋଲିସ ।

ଗିରଫ ହେଲା ଠକ ମାଷ୍ଟର ଗୋଲ୍ଡେନ ବାବା ଓରଫ ଜ୍ୟୋତିରଂଜନ ବେହେରା ।

251

କନକ ବ୍ୟୁରୋ: ଗିରଫ ହେଲା ଠକ ମାଷ୍ଟର ଗୋଲ୍ଡେନ ବାବା ଓରଫ ଜ୍ୟୋତିରଂଜନ ବେହେରା । ହାତରେ ମୋଟା ମୋଟା ସୁନା ଚେନ ପକାଇ ନିଜକୁ ଗୋଲ୍ଡେନ ବାବାଙ୍କ ନାଁରେ ପରିଚିତ କରିଥିବା ଏହି ବ୍ୟକ୍ତିଙ୍କ ହାତରେ ଏବେ ସୁନା ଚେନ ବଦଳରେ ପଡିଛି ହାତ କଡି । ନାଁ ଯେମିତି, କାରନାମା ତାହାଠୁଁ ବଳି । ଦେହରେ ସୁନା ଛାଉଣୀ, ହେଲେ କାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୁନା ଅଳଙ୍କାର ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଏହି ଗୋଲ୍ଡେନ ବାବା ପ୍ରକୃତରେ ଜଣେ ଚାରିଶହ ବିଶ୍ । କମିସନରେଟ୍ ପୋଲିସ ଗିରଫ କରିବା ପରେ ସାମ୍ନାକୁ ଆସିଛି ଏହି ଠକ ମାଷ୍ଟରଙ୍କ ଅସଲ କାହାଣୀ ।

ଏନଏସ୍ ଇନଫ୍ରାଷ୍ଟକଚରକୁ ୧୧୦ କୋଟି ଟଙ୍କା ଫାଇନାନ୍ସ କରିବାକୁ ଡିଲ୍ କରିଥିଲା ଗୋଲ୍ଡେନ୍ ବାବା । ମୋଟା ମୋଟା ସୁନା ଚେନ୍ ପକାଇଥିବା ଏହି ଠକର କଥାରେ ବିଶ୍ୱାସ କରିଥିଲେ ଏନଏସ୍ ଇନଫ୍ରାଷ୍ଟକଚର କର୍ତୃପକ୍ଷ । ଏହି ଟଙ୍କାର ପରିଶୋଧ ପାଇଁ ୨୦୨୦ ମସିହାରୁ ୨୦୩୦ ମଧ୍ୟରେ ୧୧ଟି ଆଡଭାନସ ଚେକ୍ ଧରାଇ ଦେଇଥିଲେ ଗୋଲ୍ଡେନ୍ ବାବାକୁ । ଏହା ପରେ ଠକାମୀର ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଥିଲା ଠକ ମାଷ୍ଟର । ୧-୦୪-୨୦୨୮ର ଏକ ଚେକକୁ ୧-୦୯-୨୦୧୮ କରି ୧୨ କୋଟି ଟଙ୍କାର ଚେକକୁ ଚଳୁ କରିବାକୁ ବନାଇଥିଲା ଯୋଜନା । ନିଜକୁ କୋଟିପତି ଭଳି ଉପସ୍ଥାପନ କରି ରାଜଧାନୀରେ ଅନେକ ସଭା ସମିତିରେ ଉପସ୍ଥିତ ହୋଇଥାନ୍ତି ଏହି ଫ୍ରଡ୍ ମାଷ୍ଟର । ପୋଷ୍ଟରରେ ବି ଲାଗିଥାଏ ତାଙ୍କ ଫଟୋ । ବାବାଙ୍କ ଚେଲା, ଚାମୁଣ୍ଡାଙ୍କ ସଂଖ୍ୟା ମଧ୍ୟ ବେଶ୍ ବଢିଯାଇଥିଲା । କିଛି ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବସାଉଠା କରୁଥିବା ଗୋଲ୍ଡେନ୍ ବାବା ସ୍ୱପ୍ନ ଦେଖୁଥିଲେ ବିଧାୟକ ହେବାକୁ । ହେଲେ ଠକେଇ ଅଭିଯୋଗରେ ଏବେ ହାତରେ ପଡ଼ିଛି ହାତକଡ଼ି ।