ସୁନା ଚୋରାଚାଲାଣର ନୂଆ ତରିକା ! ଗ୍ରାଇଣ୍ଡରରେ ସୁନା ଆଣୁଥିବା ବେଳେ ଧରିଲା କଷ୍ଟମସ ବିଭାଗ

67

କନକ ବ୍ୟୁରୋ :  ସୁନା ଚୋରାଚାଲାଣର ନୂଆ ତରିକା । ସୁନା ଚୋରା ଚାଲାଣ ତାହା ବି ପୁଣି ଗ୍ରାଇଣ୍ଡରରେ ।ସୁନା ଚୋରାଚାଲାଣର ହବ ପାଲଟିଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି। ବିମାନବନ୍ଦରର କଷ୍ଟମସ ବିଭାଗ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରୁ ୬୯୯.୫ ଗ୍ରାମ୍ (ପ୍ରାୟ ୭୦ଭରି)ର ସୁନା ଜବତ କରିଛି। ଏହାର ବଜାର ମୂଲ୍ୟ ୨୨,୦୩,୪୨୫ଟଙ୍କା ହେବ ।

ଏଥର କିନ୍ତୁ ଚୋରା ଚାଲଣ କରୁଥିବା ବ୍ୟକ୍ତି ଜଣଙ୍କ କ୍ୱାଲାଲମ୍ପୁର କି ବ୍ୟାଙ୍କକରୁ ଆସିନଥିଲେ। ଦୁବାଇରୁ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଆସିଥିଲେ। ସୁନା ଖଣ୍ଡଗୁଡ଼ିକୁ ସେ ମଳଦ୍ୱାର କି ବ୍ୟାଗରେ ଲୁଚାଇ ଆଣିନଥିଲେ। ଗ୍ରାଇଣ୍ଡର ଭିତରେ ଆଣିଥିଲେ। ଏପରି ସତର୍କତାର ସହ ଆଣିଥିଲେ ଯେ, କଷ୍ଟମସ ବିଭାଗ ଏହାକୁ ଧରିବା ସହଜ ନଥିଲା। କିନ୍ତୁ ବ୍ୟାଗ୍ ସ୍କାନିଂ ସମୟରେ ଯାତ୍ରୀଙ୍କ ବ୍ୟାଗରେ ଥିବା ଗ୍ରାଇଣ୍ଡରରେ କିଛି ସନ୍ଦେହଜନକ ସାମଗ୍ରୀ ଥିବା ସିଆଇଏସଏଫ୍ ଯବାନ ଜାଣିବା ପରେ କଷ୍ଟମସ ବିଭାଗକୁ ସୂଚନା ଦେଇଥିଲେ। ଏହାପରେ ଗ୍ରାଇଣ୍ଡର ଖୋଲାଯାଇ ଯାଞ୍ଚ କରାଯାଇଥିଲା। ଗ୍ରାଇଣ୍ଡରର କଏଲ୍ ଯେଉଁଠି ଥାଏ ସେଥିରୁ ତାର କାଢ଼ି ୬ଟି ବିଦେଶୀ ସୁନା ଖଣ୍ଡକୁ ରଖାଯାଇଥିଲା। ଏହାପରେ ଗ୍ରାଇଣ୍ଡରକୁ ଫିଟିଂ କରାଯାଇଥିଲା।

ଗତ କିଛି ମାସ ମଧ୍ୟରେ ବିମାନବନ୍ଦରରୁ ପ୍ରାୟ ଦେଢ଼କୋଟି ଟଙ୍କାର ସୁନା ଜବତ ହୋଇଥିବାବେଳେ ଏହା କ୍ୱାଲାଲମ୍ପୁର ଓ ବ୍ୟାଙ୍କକରୁ ଆସିଥିଲା। କିନ୍ତୁ ଏଥର ଦୁବାଇରୁ ସୁନା ଆସିଛି। ତାହା ପୁଣି କୌଣସି ଅନ୍ତର୍ଜାତୀୟ ବିମାନରେ ନୁହେଁ। ଘରୋଇ ବିମାନରେ। ଏହାପରେ ବିମାନବନ୍ଦରରର ଟି-୧ ଟର୍ମିନାଲ ଦେଇ ସୁନା ଚୋରାଚାଲାଣ ହେଉଥିବାର ଆଶଙ୍କାକୁ ଏଡ଼ାଇ ହେଉନି।

ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଏବଂ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଟି-୨ ଟର୍ମିନାଲରେ ଲାଗିଥାଏ। ତେଣୁ ଏହି ଟର୍ମିନାଲ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କର କଷ୍ଟମସ ଚେକିଂ କରାଯାଏ। ଆଜି ସୁନା ଚୋରା ଚାଲାଣ କରୁଥିବା ବ୍ୟକ୍ତି ଜଣଙ୍କ ଏୟାର ଇଣ୍ଡିଆ ବିମାନରେ ଦୁବାଇରୁ ଦିଲ୍ଲୀ ଆସିବା ପରେ ସେଠାରୁ ଲିଙ୍କ୍ ବିମାନରେ ଭୁବନେଶ୍ୱର ଆସିଥିଲେ। ତାଙ୍କର ଦୁବାଇରେ କଷ୍ଟମସ ଚେକିଂ ହୋଇଥିବାରୁ ନୂଆଦିଲ୍ଲୀରେ କିଛି ଚେକିଂ ହୋଇନଥିଲା। ତେଣୁ ଏଠାରୁ ପ୍ରସ୍ଥାନ ସମୟରେ କଷ୍ଟମସ ଚେକିଂ କରାଯାଇଥିଲା। ଯେଉଁଥିରେ ସେ ସୁନା ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା।