ଧନତେରାସ ପୂର୍ବରୁ ବଢିଲା ସୁନା ଦର ! ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଜୁଏଲାରୀ ଦୋକାନରେ ବିଭିନ୍ନ ସ୍କିମ ।

222

କନକ ବ୍ୟୁରୋ : ଧନତେରାସ ବଜାରରେ ସୁନା ମହଙ୍ଗା । ୬ ବର୍ଷ ପରେ ବଢ଼ିଲା ସୁନାଦର । ଅନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ, ଅଶୋଧିକ ତୈଳଦର ବୃଦ୍ଧି, ସୁନାର କିଣାମୂଲ୍ୟ ବୃଦ୍ଧି ପରି ବିଭିନ୍ନ କାରଣରୁ ସୁନାଦର ବଢ଼ିଥିବା କୁହାଯାଉଛି । ଅନ୍ୟପଟେ ଧନତେରାସ୍କୁ ନେଇ ଆରମ୍ଭ ହୋଇଛି ଗହଣା ବଜାରରେ ଅଫର ଓ ସ୍କିମ୍  ।

୬ ବର୍ଷ ପରେ ସୁନାଦର ବୃଦ୍ଧିର ପ୍ରଭାବ । ଧନତେରାସ୍ ପୂର୍ବରୁ ବଜାରରେ ଅଫରବର୍ଷା । ଦୀପାବଳି ପୂର୍ବଦିନ ଅର୍ଥାତ୍ ନଭେମ୍ବର ୫ ତାରିଖରେ ଧନତେରାସ୍, ଆଉ ସୁନାଦର ୬ ବର୍ଷ ପରେ ବଢ଼ିଥିବାରୁ ବଜାରରେ ଦେଖିବାକୁ ମିଳିଛି କଡ଼ା ପ୍ରତିଦ୍ୱନ୍ଦ୍ୱିତା । ଧନତେରାସରେ ସୁନା କିମ୍ବା ରୂପା କିଣିଲେ ମାଆ ଲକ୍ଷ୍ମୀ ଘରକୁ ଆସିଥାନ୍ତି ବୋଲି ସାଧାରଣରେ ବିଶ୍ୱାସ ରହିଛି । ତେଣୁ ସୁନାଦର ବୃଦ୍ଧିର ଯେପରି ଗ୍ରାହକଙ୍କ ଉପରେ ପ୍ରଭାବ ନପଡ଼େ ସେଥିପାଇଁ ଗହଣା ସୋ’ରୁମରେ ଭଳିକିଭଳି ସ୍କିମ୍ ଓ ଲୋଭନୀୟ ଅଫର୍ ଆରମ୍ଭ ହୋଇଛି  ।

ରାଜଧାନୀ ଭୁବନେଶ୍ୱରର ଗହଣା ଦୋକାନଗୁଡ଼ିକରେ ଦାମୀ ଗାଡ଼ିରୁ ଆରମ୍ଭ କରି ଗିପ୍ଟ କୁପନ୍ ପର୍ଯ୍ୟନ୍ତ ବିଭିନ୍ନ ଆକର୍ଷଣୀୟ ଯୋଜନା ଦେଖିବାକୁ ମିଳିଛି । ବର୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ରହିଛି ୩୧ ହଜାର ୮୨୦ ଟଙ୍କା  । ତେବେ କିଛି ଦୋକାନରେ ସୁନା ଅଳଙ୍କାର ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ଥିବା ବେଳେ ଆଉ କିଛି ଦୋକାନ ମୋଟ ସୁନା ଉପରେ ୫.୪ ପ୍ରତିଶତ ରିହାତି ଦେଉଛନ୍ତି  । ଏହା ବ୍ୟତୀତ ଭୁବନେଶ୍ୱରର କିଛି ଗହଣା ଦୋକାନ ଗ୍ରାହକଙ୍କୁ ସୁନା କିଣି ଲକ୍ଷପତି ହେବାର ସୁଯୋଗ ମଧ୍ୟ ଧନତେରସ୍ ଅବସରରେ ଆଣିଦେଇଛନ୍ତି  । ଆଉ ୪ ଦିନ ରହିଲା ଧନତେରସ୍  । ତେବେ ଚଢ଼ା ଦର ସତ୍ୱେ ବେଶ୍ ଚମକିଛି ସୁନା ବଜାର  ।