ଧନତେରସ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର । ଅଫର ପରେ ଅଫର ଦେଉଛନ୍ତି ବ୍ୟବସାୟୀ, ହେଲେ ସୁନା କିଣିବାକୁ ସାହସ ଜୁଟାଇ ପାରୁନାହାନ୍ତି ଗ୍ରାହକ

93

କନକ ବ୍ୟୁରୋ : ପୂଜା ବଜାରରେ ଗ୍ରାହକ ପକେଟକୁ ମାଡ । ସୁନା ବଜାର ଏବେ ମହଙ୍ଗା । ଅଫର ପରେ ଅଫର ଅଛି ହେଲେ ଅଧିକ ସୁନା କିଣିବାକୁ ସାହସ ଜୁଟାଇ ପାରୁନି ଗ୍ରାହକ । କାରଣ ସୁନା ଦର ବଢିଯାଇଛି । ମାତ୍ର ୧୦ ଦିନରେ ସୁନା ଦର ହଜାରେ ଟଙ୍କା ଟପିଲାଣି ।

ଗତ ୧୦ ଦିନରେ ବଢି ବଢି ଚାଲିଛି ସୁନା ଦାମ । ୧୦ ଗ୍ରାମ ପିଛା ହଜାରେ ଟଙ୍କା ବଢିଲାଣି । ଏପଟେ ପୂଜା ବଜାରରେ ସୁନା କିଣିବା ଲୋଭ ବି ଛାଡି ପାରୁ ନାହାନ୍ତି ଲୋକେ । ତେବେ ନିଜ ପକେଟକୁ ଚାହିିଁ ଅଟକି ଯାଉଛନ୍ତି ଗ୍ରାହକ । ବଢି ବଢି ଚାଲିଥିବା ସୁନା ଦର ଗ୍ରାହକଙ୍କ ପାଇଁ ଚିନ୍ତା ବଢାଇଛି । ଏହା ପକେଟକୁ ପ୍ରଭାବିତ କରିବ ବୋଲି ସେମାନେ କହିଛନ୍ତି । ଘରୋଇ ବଜାରରେ ଗହଣା ନିର୍ମାତାଙ୍କ ମଧ୍ୟରେ ଚାହିଦା ବୃଦ୍ଧି ସୁନା ଦର ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହା ଛଡା ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ମଧ୍ୟ ସୁନା ଆମଦାନୀକୁ ମହଙ୍ଗା କରିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଗତ ସପ୍ତାହରେ ସୁନାର ୧୦ ଗ୍ରାମ ପ୍ରତି ୩୦ ହଜାର ୬ଶହ ଟଙ୍କା ଥିବା ବେଳେ ଏଥିରେ ୧ହଜାର ଟଙ୍କା ବଢିଛି । ଏବେ ଏହା ୩୧ ହଜାର ୬ଶହ ଟଙ୍କା ଟପିଛି । ଏପଟେ ପୂଜା ବଜାରକୁ ଆଖିରେ ରଖି ବ୍ୟବସାୟୀ ଭଲ ଅଫର ମଧ୍ୟ ଦେଉଛନ୍ତି । କେଉଁଠି ମେକିଂ ଚାର୍ଜ ଉପରେ ରିହାତି ଅଛି ତ ଆଉ କେଉଁଠି ସ୍କ୍ରାଚ କାର୍ଡ ଅଫର ମଧ୍ୟ ରହିଛି । ପାର୍ବଣରେ ସୁନା ରେଟ୍ ବଢୁଥିବା ବେଳେ ରୂପା ଦରରେ ସାମାନ୍ୟ ହ୍ରାସ ହୋଇଥିବା ସୂଚନା ମିଳିଛି । ଏପଟେ ଆଗକୁ ଥିବା ପୂଜା ବଜାରରେ ଭଲ ବେପାର କରିବା ଆଶା ରଖିଛନ୍ତି ବ୍ୟବସାୟୀ ।