ଆମେରିକା ଉତ୍ତର କୋରିଆ ବିବାଦର ସୁନା ବଜାରରେ ପ୍ରଭାବ ! ହୁ ହୁ ହୋଇ ବଢୁଛି ସୁନା ଦର, କମୁଛି ବେପାର

138

କନକ ବ୍ୟୁରୋ : ବିଶ୍ୱର ଭୌଗଳିକ ଓ ରାଜନୈତିକ ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛି ସୁନା ବଜାର । ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ବିବାଦ ଫଳରେ ସୁନା ଦର ବଢି ବଢି ଚାଲିଛି । ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡିଛି । ଅନ୍ୟପଟେ ଡଲାରର ମୂଲ୍ୟ ବିଭିନ୍ନ ଦେଶରେ କମିବା ଯୋଗୁଁ ସୁନା ମୂଲ୍ୟ ବଢିଛିି । ସେହିପରି ସୁନା ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଦରକୁ ପ୍ରଭାବିତ କରିଛି । ସରକାର ଗୋଲ୍ଡ ବଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ କମାଇବାର ସମ୍ଭାବନା ନାହିଁ । ସେହିପରି ଆମଦାନୀ ଶୁଳ୍କ ଦ୍ୱାରା ସରକାର ଅତିରିକ୍ତ ରାଜସ୍ୱ ମଧ୍ୟ ପାଉଛନ୍ତି । କିନ୍ତୁ ଏହା ନିବେଶକଙ୍କ ପାଇଁ ଚାପ ସୃଷ୍ଟି କରିଛି । ଫଳରେ ସୁନା ଦର ବଢିଛି ।

goldବର୍ଷର ପ୍ରଥମାର୍ଦ୍ଧରେ ସୁନାର ଆବଶ୍ୟକତା ୧୪ ପ୍ରତିଶତ କମିଛି । ତେବେ କଳାଧନ ଉପରେ କଟକଣା ସୁନା ବଜାରକୁ ବିଶେଷ ପ୍ରଭାବିତ କରିନାହିଁ । କିନ୍ତୁ ଜିଏସଟି ଯୋଗୁଁ ସୁନା ବଜାର ପ୍ରଭାବିତ ହୋଇଛି । ଫଳରେ ସୁନା ବିକ୍ରି କମିଥିବା ବିଶେଷଜ୍ଞ ଆକଳନ କରିଛନ୍ତି । ଅନ୍ୟପଟେ ୨ ଲକ୍ଷ ଟଙ୍କା ଉପରକୁ ନଗଦ କାରବାର ଉପରେ କଟକଣା ମଧ୍ୟ ସୁନା ବଜାରକୁ ପ୍ରଭାବିତ କରିଛି । ଲୋକେ ୨ ଲକ୍ଷ ଟଙ୍କାରୁ କମ୍ ଟଙ୍କାର ସୁନା କିଣାକିଣି କରୁଥିବା ବେଳେ ସରକାର ଗହଣା କିଣାବିକାକୁ ପ୍ରଭେନସନ୍ ଅଫ ମନି ଲଂଡ୍ରି ଆକ୍ଟ ଅନ୍ତର୍ଭୁତ କରିଛନ୍ତି । ଫଳରେ ଏଣିକି ୫୦ ହଜାର ବା ଅଧିକ ଟଙ୍କାର ସୁନାଗହଣା ଦେଲେ କେୱାଇସି ଦାଖଲ କରିବାକୁ ପଡିବ । ସେପଟେ ଗ୍ରାମାଂଚଳରେ ସୁନା କିଣିବା ମଧ୍ୟ କମିଛି । ଏହା ପଛରେ ଅନିୟମିତ ବର୍ଷା ଯୋଗୁଁ କୃଷି ପ୍ରଭାବିତ ହୋଇଛି ।