ଟ୍ରେନରୁ ବଡ ଲୁଟ୍ ! ବ୍ୟାଗ୍ କାଟି ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଲୁଟେରା ।

207

ଟ୍ରେନରୁ ଚୋରି କିମ୍ବା ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ଏକ ବଡ ଚୋରି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଞ୍ଜାବ ମେଲରୁ ଚୋରିର ବଡ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରୁ ଫିରୋଜପୁର ଯାଉଥିବା ପଞ୍ଜାବ ମେଲରୁ ଲୁଟେରାମାନେ ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଛନ୍ତି । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟେରାମାନେ ଟ୍ରେନର ଏସି କୋଚ୍ ବି୨ରୁ ଏକ ବ୍ୟାଗକୁ କାଟି ସେଥିରେ ରଖାଯାଇଥିବା ୧ କୋଟି ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଯାଇଛନ୍ତି । ଏହି ଅଳଙ୍କାର ସରାଫା ବ୍ୟବସାୟୀଙ୍କର ଅଟେ, ଯିଏ ମୁମ୍ବାଇରୁ ବେତୁଲ ଯାଉଥିଲେ ।

ସୁନା ଅଳଙ୍କାରର ଓଜନ ୪ କିଲୋ ୫୦୦ ଗ୍ରାମ ଥିବା ଜଣାପଡିଛି । ଜିଆରପି ନିରୀକ୍ଷକ ବିଏସ୍ ଚୌହାନଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସାୟୀ ଜଣଙ୍କ ବିଭିନ୍ନ ସୁନା ଦୋକାନୀଙ୍କ ଅର୍ଡର ଅନୁଯାୟୀ ଏହି ଅଳଙ୍କାର ଗୁଡିକୁ ନେଇ ଯାଉଥିଲେ । ଇଟାରସୀରେ ଓହ୍ଲାଇବା ପରେ, ଯେତେବେଳେ ସେ ବ୍ୟାଗ ଉଠାଇଥିଲେ, ବ୍ୟାଗଟି ଅତ୍ୟନ୍ତ ହାଲୁକା ଲାଗିଥିଲା । ବ୍ୟାଗଟି ଓଲଟାଇ ଦେଖିବା ପରେ, ସେଥିରେ କଟା ହୋଇଥିବାର ବ୍ୟବସାୟୀ ଜଣଙ୍କ ଜାଣିବାକୁ ପାଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଚୋରମାନେ ଅତ୍ୟନ୍ତ ଚତୁରତାର ସହ କେବଳ ସୁନା ପ୍ୟାକେଟ୍ ଗୁଡିକୁ ହିଁ ଲୁଟି ନେଇଛନ୍ତି । ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଯାଇଛି । ସେପଟେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ତଦନ୍ତ କରୁଛି ପୋଲିସ ।