ଚମକିଲା ସୁନା ଚାନ୍ଦିର ମେଢ ! ଦଶହରାରେ ଉଠୁଛି ପଡୁଛି ସ୍ମାର୍ଟ ସିଟିରୁ ସିଲଭର ସିଟି

65

କନକ ବ୍ୟୁରୋ : ସିଲଭରସିଟିରେ ଚାନ୍ଦି ମେଢର ଆସର । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ଜଗଦଜନନୀ ମା’ ଦୁର୍ଗା । ଝଲସି ଉଠୁଛି ରୌପ୍ୟନଗରୀ । ଚାନ୍ଦିମେଢ଼ରେ ସଜେଇ ହୋଇଛି କଟକ ସହରର ୨୪ଟି ପୂଜା ମଣ୍ଡପ । ଦରଘାବଜାରୁ ଆରମ୍ଭ କରି ମଙ୍ଗଳବାଗ, ରାଣୀହାଟ, ଖାନନଗର ଏବଂ ଚୌଧୁରୀ ବଜାର ସବୁଠି ମା’ ପାଇଁ ସଜେଇ ହୋଇଛି ଚିତାକର୍ଷକ ମେଢ଼ ।

ପ୍ରାୟ ଦେଢ଼ କ୍ୱିଂଟାଲର ରୂପା :
୫୨ ବଜାର ୫୩ ଗଳିର ସହର କଟକ । ୧୬୦ଟି ପୂଜା ମଣ୍ଡପରେ ଶୋଭା ପାଉଛନ୍ତି ମା’ । ଗୋଟିଏ ଚାନ୍ଦି ମେଢରେ ପାଖାପଖି ୫ କିଲୋ ଚାନ୍ଦି ଲାଗିଛି । ଏବଂ ୧୫ ରୁ ୨୦ ଜଣଙ୍କ କାରିଗର ଅକ୍ଳାନ୍ତ ପରିଶ୍ରମରେ ତିଆରି କରିଛନ୍ତି  ଆକର୍ଷଣୀୟ ମେଢ ।

କଟକର ଚାନ୍ଦିମେଢ଼ର ଗୋଟିଏ ଝଲକ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ପ୍ରବଳ ଉତ୍ସାହ । ଆଉ ପୂଜା କମିଟି ଗୁଡ଼ିକ ମଧ୍ୟ କୌଣସିଥିରେ ଉଣା କରିନାହାଁନ୍ତି । ଚାନ୍ଦିମେଢ଼ ଭିତରେ ପୁଣି ସୁନା ଅଳଙ୍କାର । ମୁକୁଟରୁ ଆରମ୍ଭ କରି ମା’ର ବିଭିନ୍ନ ପରିଧାନରେ ଖଚିତ ହୋଇଛି ସୁନା । ଶେଖ୍ ବଜାର, ଅଲିସା ବଜାର, ଚୌଧୁରୀ ବଜାର ସମେତ ବିଭିନ୍ନ ପୂଜା କମିଟି ପକ୍ଷରୁ ମା’ ପାଇଁ ପ୍ରସ୍ତୁତ ହୋଇଛି ସୁନା ଅଳଙ୍କାର ।

ଭାଇଚାରାର ସହର କଟକରେ ଏବେ ପୂଜା ମଣ୍ଡପରେ ଲାଗିଛି ପ୍ରତିଯୋଗିତା । ଆଉ ଏହି ପ୍ରତିଯୋଗିତା ଯୋଗୁଁ କଟକରେ ଚାନ୍ଦି ଏବଂ ସୁନା ମେଢ ର ସଂଖ୍ୟା ବଢିବାରେ ଲାଗିଛି ।