ଛତ୍ରପୁର ଥାନାରେ ଗୋଲକ ମହାପାତ୍ରଙ୍କୁ ଜେରା ଶେଷ :୧୬୧ ଧାରାରେ ବୟାନ ରେକର୍ଡ ପରେ ଛାଡିଲା ପୁଲିସ

21

କନକ ବ୍ୟୁରୋ : ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଜେରା କଲା ଛତ୍ରପୁର ପୁଲିସ । କାଉନସିଲର ଲଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଗୋଲକଙ୍କୁ ପଚରାଉଚରା କରାଯାଇଛି । ଏଥିପାଇଁ ଆଜି ଦଳୀୟ ନେତାଙ୍କ ସହ ବିରାଟ ରାଲିରେ ପହଚିଂଥିଲେ ଗୋଲକ । ତଦନ୍ତରେ ପୁଲିସକୁ ସମସ୍ତ ସହାୟତା କରିବେ ବୋଲି ଗୋଲକ କହିଛନ୍ତି ।

ଲଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକ ଗୋଲକଙ୍କ ସହ ସଂପୃକ୍ତି ଅଭିଯୋଗ ଆଣିବା ପରେ ଗତକାଲି ତାଙ୍କୁ ନୋଟିସ କରିଥିଲା ଛତ୍ରପୁର ପୋଲିସ । ଏକ ୪୦ ଜଣିଆ ଟିମ ସହ ଭୁବନେଶ୍ୱରରୁ ଛତ୍ରପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ ଗୋଲକ । ସେପଟେ ପୁରା ଘଟଣାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି । କାରଣ ପୁଲିସର ପଦକ୍ଷେପକୁ ମୂଳରୁ ସନ୍ଦେହ କରିଆସୁଛି ବିଜେପି । ଶାସକ ଦଳର ଇସାରାରେ ଏସପି ଆଶିଷ ସିଂ କାମ କରୁଥିବା ଗୋଲକଙ୍କ ସହ ଭାରତୀୟ ଜନତା ପାର୍ଟି ମଧ୍ୟ ଅଭିଯୋଗ କରିଆସୁଛି ।

ଗୋଟିଏ ପଟେ ୪୦ ଜଣିଆ ଟିମ ସହ ଗୋଲକ ମହାପାତ୍ର ଛତ୍ରପୁରରେ ପହଚିଂଥିବା ବେଳେ ସେଠାରେ ହଜାର ହଜାର ବିଜେପି କର୍ମୀ ଗୋଲକଙ୍କ ସହ ସାମିଲ ହୋଇଥିଲେ । ଏପଟେ କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ବିଜେଡି ମଧ୍ୟ ତାର ଶକ୍ତି ପ୍ରଦର୍ଶନ କରିଛି । ବିଜେଡି ପକ୍ଷରୁ ଏକ ବିଶାଳ ରାଲି କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋଲକ ମହାପାତ୍ରଙ୍କ ଗିରଫ ଦାବି କରିଛି ବିଜେଡି । ଯଦି ତାଙ୍କୁ ଗିରଫ କରାନଯାଏ,ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଛତ୍ରପୁର ବିଜେଡି ବିଧାୟକ କହିଛନ୍ତି ।

ସେହପିରି ଗୋଲକ ମହାପାତ୍ର ଆଇନକୁ ସମ୍ମାନ ଜଣାଇ ହାଜର ହେବାକୁ ଯାଉଥିବାବେଳେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଆନ୍ଦୋଳନ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି । ବିଜେଡି ମନ୍ତ୍ରୀ ନେତା ଗିରଫ ନେଇ ବାରମ୍ବାର ଆକ୍ଷେପ କରୁଛନ୍ତି । ଥାନାକୁ ଗଲାବେଳେ ବିକ୍ଷୋଭ କରି ତଦନ୍ତକୁ ବାଟବଣା କରିବା ପାଇଁ ଉଦ୍ୟମ କରାଯାଉଛି । ପୁଲିସ ଉପରେ କଣ ବିଜେଡିର ଭରସା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପିର ଉପସଭାପତି ସମୀର ମହାନ୍ତି ।