ବିଜେପି ମୁଖପାତ୍ରଙ୍କୁ ଜେରାକଲା ଗଞ୍ଜାମ ପୁଲିସ : ବୟାନ ରେକର୍ଡ କରିବାକୁ ଦଳବଳ ସହ ଛତ୍ରପୁରରେ ପହଂଚିଲେ ଗୋଲକ ମହାପାତ୍ର

63

କନକ ବ୍ୟୁରୋ : ବେକରେ ଫୁଲମାଳ, ସାଙ୍ଗରେ ଶହ ଶହ ଦଳୀୟ କର୍ମୀ । ଦଳବଳ ସହ ଛତ୍ରପୁର ଥାନାରେ ବିଜେପି ନେତା ଗୋଲକ ମହାପାତ୍ର । କାଉନସିଲର ଲଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ନୋଟିସ କରିଥିଲା ଛତ୍ରପୁର ପୋଲିସ । ଏହାପରେ ଥାନାରେ ହାଜର ହୋଇଛନ୍ତି ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ । ହେଲେ ଏକା ଆସିନଥିଲେ ଗୋଲକ । ରାଜଧାନୀ ଭୁବନେଶ୍ୱରରୁ ସାଙ୍ଗରେ ଥିଲେ ୪୦ ଜଣିଆ ଟିମ୍ । ଆଉ ଛତ୍ରପୁରରେ ପହଁଚିବା ପରେ ସାମିଲ ହୋଇଥିଲେ ଶହ ଶହ ଦଳୀୟ ନେତା ଓ କର୍ମୀ । ପରେ ଥାନାକୁ ଛୁଟିଥିଲା ନେତାଙ୍କ ବିରାଟ ଶୋଭାଯାତ୍ରା ।

ଅପରାଧ ପାଇଁ ଏହି ମାମଲା ଯେତିକି ଚର୍ଚାରେ ଥିଲା ତାଠାରୁ ଅଧିକ ଚର୍ଚାରେ ଥିଲା ରାଜନୀତି ପାଇଁ । କାରଣ, ହତ୍ୟାର ଶୀକାର ହୋଇଥିବା ବ୍ୟକ୍ତି ବିଜେଡିର ଏବଂ ହତ୍ୟାକାଣ୍ଡର ଅଭିଯୁକ୍ତ ବିଜେପିର । ଓଡିଶା ରାଜନୀତିରେ ବିଜେପି-ବିଜେଡି ବିବାଦ ତୀବ୍ର ହେଉଥିବା ବେଳେ ଏହି ଘଟଣା ରାଜନୀତିର ପାରାକୁ ଆହୁରି ବଢାଇଦେଇଛି ।

ବିଜେପି ନେତା ଗୋଲକ ମହାପାତ୍ରଙ୍କ ବିରୋଧରେ ଅଭିଯୋଗ ହେଉଛି, ଲଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କ ସହ ସଂପର୍କ । କିଛି ଦିନ ତଳେ କଲ୍ ଡିଟେଲ ରେକର୍ଡରେ ହତ୍ୟାକାଣ୍ଡର ପୂର୍ବଦିନ ଠାରୁ ସପ୍ତାହକ ମଧ୍ୟରେ ୨୬ ଥର ଫୋନରେ କଥା ହୋଇଥିଲେ ଗୋଲକ ।

ସିଡିଆର୍ ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ଭିଡିଓ କ୍ଲିପ୍ । ଯେଉଁଥିରେ ଅଭିଯୁକ୍ତ କୃଷ୍ଣ ନାୟକ ଗୋଲକଙ୍କ ନାଁ ନେଇଥିଲେ । ସିଡିଆର୍ ଓ ଭିଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ସିଧା ଗଂଜାମ ଏସ୍ପିଙ୍କୁ ଟାର୍ଗେଟ୍ କରିଥିଲା ବିଜେପି ।

ରାଜନୀତିରେ ଗୋଲକ ଧନ୍ଦା । ଗୋଟିଏ ପଟେ ଚର୍ଚ୍ଚିତ ହତ୍ୟାକାଣ୍ଡ ଅନ୍ୟପଟେ ଏହାକୁ ନେଇ ରାଜନୀତି । ବିରାଟ ଶୋଭାଯାତ୍ରାରେ ଥାନାକୁ ଆସି ବିଜେପି ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେଡି ବି ଦେଖାଇଛି ଦମ୍ । ଛତ୍ରପୁରରେ ଦଳୀୟ ନେତା ଓ କର୍ମୀ ବିଶାଳ ରାଲି କରିଥିଲେ । ଏବଂ ଦାବି କରିଥିଲେ ଗୋଲକଙ୍କୁ ଗିରଫ କରାଯାଉ ।