ବୁଲେଟ ଟ୍ରେନକୁ ନେଇ ମୋଦିଙ୍କୁ ଆଉ ଏକ ଝଟକା ! ପ୍ରକଳ୍ପ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଗୋଦରେଜ୍ କମ୍ପାନୀ ।

27

ବୁଲେଟ ଟ୍ରେନ ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲାଗିଛି ଆଉ ଏକ ଝଟକା । ମୋଦିଙ୍କ ଉଚ୍ଚାଭିଳାଷୀ ମୁମ୍ବାଇ- ଅହମ୍ମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଆଗରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଦେଖାଦେଉଛି । ପ୍ରଥମେ ଦେଖାଦେଇଥିବା ଚାଷୀମାନଙ୍କ ବିରୋଧ ସମସ୍ୟାର ସମାଧାନ ହୋଇନଥିବାବେଳେ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ତାହା ହେଉଛି ଏହି ପ୍ରକଳ୍ପରେ ଗୋଦ୍ରେଜ କମ୍ପାନିର ଜମି ଯାଉଥିବାରୁ ଏହି କମ୍ପାନି ବମ୍ବେ ହାଇକୋର୍ଟରେ ଏକ ମାମଲା ଦାଏର କରିଛି । ଗୋଦରେଜ୍ ଗ୍ରୁପ୍ ଅଫ ରିଅଲ ଇଷ୍ଟେଟ ସଂସ୍ଥା ଗୋଦରେଜ୍  କନଷ୍ଟ୍ରକସନ ପକ୍ଷରୁ ଅଭିଯୋଗ କରାଯାଇଛି ମୁମ୍ବାଇର ଭିକରୋଲି ଇଲାକାରେ ଥିବା କମ୍ପାନିର ପ୍ରାୟ ୮.୬ ଏକର ଜମି ଉପରେ ଏହି ପ୍ରକଳ୍ପ ଯାଉଛି । ନିଜର ଜମିକୁ ବଞ୍ଚେଇବା ପାଇଁ ଏହି ପ୍ରକଳ୍ପର ଦିଗକୁ ମୋଡ଼ିବାକୁ କମ୍ପାନି ଆଇନର ଆଶ୍ରୟ ନେଇଛି । ଆସନ୍ତା ୩୧ ତାରିଖରେ ଏହି ମାମଲାର ଶୁଣାଣୀ ହେବ । ପୂର୍ବରୁ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ୭୦ଟି ଗ୍ରାମର ଚାଷୀମାନେ ଏହାକୁ ବିରୋଧ କରିଆସୁଛନ୍ତି ।

ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପକୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ । ସାବରମତୀ ଷ୍ଟେସନରୁ ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନ ରହିବ । ଦିନକୁ ୭୦ ଥର ଯିବା ଆସିବା କରିବ ଏହି ଟ୍ରେନ ।