ଆଜି ଗୁଜରାଟ ହାଇକୋର୍ଟ ଶୁଣାଇପାରନ୍ତି ଗୋଧ୍ରାକାଣ୍ଡର ରାୟ ! ଟ୍ରାଏଲ କୋର୍ଟ ୧୧ ଜଣଙ୍କୁ ଫାଶୀ ଓ ୨୦ ଜଣଙ୍କୁ ଦେଇଛନ୍ତି ଆଜୀବନ କାରାଦଣ୍ଡ, ଚ୍ୟାଲେଞ୍ଜ କରି ସରକାର ଓ ଦୋଷୀ ଯାଇଛନ୍ତି ଉପରକୋର୍ଟ

60

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡି ମାମଲାର ଆଜି ଆସିବ ରାୟ । ଗୋଧ୍ରା ଟ୍ରେନ ଅଗ୍ନିକାଣ୍ଡ ମାମଲାରେ ଆଜି ଗୁଜରାଟ ହାଇକୋର୍ଟ ରାୟ ଶୁଣାଇ ପାରନ୍ତି । ଏହି ମାମଲାରେ ସ୍ୱତନ୍ତ୍ର ଏସଆଇଟି କୋର୍ଟ, କିଛି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ଓ କିଛି ଅଭିଯୁକ୍ତଙ୍କୁ କ୍ଲିନ ଚିଟ୍ ଦେବା ରାୟକୁ ହାଇକୋର୍ଟରେ ଚାଲେଂଜ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ରାୟକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ସେହିପରି କୋର୍ଟ କ୍ଲିନ ଚିଟ୍ ଦେଇଥିବା ରାୟକୁ ହାଇକୋର୍ଟରେ ଉଠାଇଥିଲେ ରାଜ୍ୟ ସରକାର ।

ଆଜି ଏହି ଆବେଦନର ଚୁଡାନ୍ତ ରାୟ ଶୁଣାଇ ପାରନ୍ତି ଗୁଜରାଟ ହାଇକୋର୍ଟ । ୨୦୦୨ ମସିହାରେ ହୋଇଥିବା ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ସେତେବେଳେ ରାଜ୍ୟ ସମେତ ଦେଶର ଅନେକ ସ୍ଥାନରେ ସାଂଘାତିକ ପରିସ୍ଥିତି ଦେଖାଦେଇଥିଲା । ଟ୍ରେନ ପୋଡିର ୧୫ ବର୍ଷ ପରେ ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ । ଅଢେଇ ବର୍ଷ ପୂର୍ବେ ଗୋଧ୍ରା ଟ୍ରେନ ପୋଡି ମାମଲାର ଶୁଣାଣି ଶେଷ କରି ଗୁଜୁରାଟ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ୨୦୧୧ ମାର୍ଚ୍ଚ ୧ ତାରିଖରେ ସ୍ୱତନ୍ତ୍ର ଏସଆଇଟି କୋର୍ଟ ଏହି ମାମଲାର ରାୟ ଶୁଣାଇ ଥିଲେ । ପରେ ଏସଆଇଟିର ରାୟକୁ ଗୁଜୁରାଟ ହାଇକୋର୍ଟରେ ଚାଲେଂଜ କରାଯାଥିଲା । ଟ୍ରାଏଲ କୋର୍ଟ ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ ଓ ୬୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଦୋଷୀଙ୍କ ମଧ୍ୟରେ ୧୧ ଜଣଙ୍କୁ ଫାଶିଦଣ୍ଡ ଓ ୨୦ ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇ ଥିଲେ ମାନ୍ୟବର କୋର୍ଟ ।

୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ-୬ ବଗିରେ ଗୋଧ୍ରା ଷ୍ଟେସନରେ ନିଆଁ ଲାଗିଥିଲା । ଏଥିରେ ୫୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ କର ସେବକ ଥିଲେ, ଯେଉଁମାନେ ଅଯୋଧ୍ୟାରୁ ଫେରୁଥିଲେ । ଗୋଧ୍ରା ଟ୍ରେନ ପୋଡି ପରେ ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ଜଳି ଉଠିଥିଲା ।