ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀକୁ ନିଲାମ କଲା ଭାରତୀୟ ରେଳବାଇ : କ’ଣ ରହିଛି ପୁରା ଘଟଣା, ଜାଣନ୍ତୁ . .

56

ବିନା ଟିକେଟରେ ଯାତ୍ରା କଲେ ରେଳଯାତ୍ରୀଙ୍କ ଜୋରିମାନା ଦେବାପାଇଁ ପଡ଼େ । ଏକଥା ସମସ୍ତେ ଜାଣନ୍ତି । ତେବେ ନିକଟରେ ଜଣେ ବିନା ଟିକେଟ ଯାତ୍ରୀଙ୍କୁ ନିଲାମ କରିଦେଇଛି ଭାରତୀୟ ରେଳବାଇ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । ଜରିମାନା ବାବଦ ଅର୍ଥ ଭରଣା କରିବାକୁ ଜରିମାନା ଦେଇ ପାରି ନ ଥିବା ଜଣେ ବିନା ଟିକେଟ ଯାତ୍ରୀକୁ ଗୁରୁବାର ଦିନ ରେଳବାଇ ଅଧିକାରୀମାନେ ନିଲାମ କରିଛନ୍ତି । ଟିକେଟ କାଟି ନ ଥିବା ସେ ଯାତ୍ରୀଟି ହେଉଛି ଗୋଟାଏ ଛେଳି । ବୁଧବାର ଦିନ ସନ୍ଧ୍ୟା ବେଳେ ରେଳବାଇ କର୍ତ୍ତୃପକ୍ଷମାନେ ବିନା ଟିକଟ୍‌ରେ ଯାତ୍ରା କରୁଥିବା ସେ ମାଈଛେଳିଟିକୁ ଧରିଥିଲେ । ରେଳବାଇ କର୍ତ୍ତୃପକ୍ଷମାନେ ଖବର ପାଇଲେ କି ଜଣେ ବ୍ୟକ୍ତି ଟ୍ରେନ୍‌ରେ ଛେଳିଟିଏ ନେଇ ଯାଉଛି । ରେଳବାଇ ନିୟମ ଅନୁସାରେ ଏହା ନିୟମ ବିରୁଦ୍ଧ କାର୍ଯ୍ୟ । ସ୍ଥାନୀୟ ରେଳବାଇର ମସ୍‌ଜିଦ୍‌ ଷ୍ଟେସନ୍‌ ଠାରେ ସେ ବ୍ୟକ୍ତିଙ୍କ ସହ ଟିକେଟ କଲେକ୍ଟର୍‌ଙ୍କ ସାମ୍ନାସାମ୍ନି ହୋଇଥିଲା ।

ଜଣା ପଡ଼ିଲା ଯାତ୍ରୀଜଣକ ମଧ୍ୟ ଟିକେଟ କାଟି ନାହାନ୍ତି । ଅଗତ୍ୟା ସେ କୌଣସି ମତେ ସେଠାରୁ ଧାଇଁ ପଳାଇଲେ ଟିକେଟ ଖରିଦ କରିବା ପାଇଁ । ଛେଳି ସହ ସେଠାରେ ଛିଡ଼ା ହୋଇ ରହିଲେ ଟିକେଟ କଲେକ୍ଟର୍‌ । ଏଇଟା ରେଳବାଇ କର୍ତ୍ତୃପକ୍ଷଙ୍କୁ ବଡ଼ ଅଡୁଆରେ ପକାଇଲା।  ଟିକେଟ କାଟି ନ ଥିବା ସେ ଯାତ୍ରୀଜଣକ ଆଉ ଫେରିଲେ ନାହିଁ । ଏବେ ଛେଳିକୁ ନେଇ ରେଳବାଇ ଅଧିକାରୀମାନେ କରନ୍ତେ କ’ଣ ?

ବହୁ ପରାମର୍ଶ ପରେ, ଛେଳିଟିକୁ ନିଲାମ କରିଦେବା ପାଇଁ ଅଧିକାରୀମାନେ ନିଷ୍ପତ୍ତି ନେଲେ । ଛେଳିଟିକୁ ରେଳ ଷ୍ଟେସନ୍‌ରେ ଖଟେଇ ଦିଆଗଲା । ତା’ର ଦେଖାଶୁଣା ପାଇଁ ଜଣେ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଗଲା । ଛେଳିର ନିଲାମ ମୂଲ୍ୟ ୩୦୦୦ ଟଙ୍କା ବୋଲି ଅଧିକାରୀମାନେ ନିର୍ଦ୍ଧାରଣ କଲେ। କିନ୍ତୁ, ଛେଳିଟିକୁ କିଣିବାକୁ ଗ୍ରାହକ ମିଳିଲେ ନାହିଁ । ଅଗତ୍ୟା ରେଳ କର୍ମଚାରୀମାନେ ବସି ରାତି ତମାମ ଛେଳିର ତତ୍ତ୍ୱ ନେଲେ । ଛେଳିର ତତ୍ତ୍ୱାବଧାନରେ ଥିବା କର୍ମଚାରୀଜଣକ ‘ସୋଲେ’ ସିନେମାପ୍ରେମୀ ହୋଇଥିବାରୁ ଛେଳିର ନାଁ ଦେଲେ ‘ବାସନ୍ତୀ’ । ଗୁରୁବାର ସକାଳେ ନିଲାମ ପାଇଁ ଆଉ ଥରେ ଉଦ୍ୟମ କଲେ । ଏଥର ସେମାନେ ‘ବାସନ୍ତୀ’ ୨୫୦୦ ଟଙ୍କାରେ ବିକ୍ରୟ କଲେ । ବିଡ଼ମ୍ବନାର କଥା ହେଲା, ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ଫାଇନ ବାବଦକୁ ପଡ଼େ ମାତ୍ର ୨୫୬ ଟଙ୍କା ଅର୍ଥାତ୍‌ ‘ବାସନ୍ତୀ’ ନିଲାମ ମୂଲ୍ୟର ମାତ୍ର ୧୦%।