ଗୋଆ ବିଧାନସଭା ଆସ୍ଥା ପରୀକ୍ଷାରେ ପାସ୍ କଲେ ପାରିକର : ବିଜେପି ସରକାର ସପକ୍ଷରେ ୨୨, ବିପକ୍ଷରେ ପଡିଲା ୧୬ ଭୋଟ

34

କନକ ବ୍ୟୁରୋ : ଗୋଆ ବିଧାନସଭାରେ ମନୋହର ପାରିକର ପାସ କରିଛନ୍ତି । ଆଜି ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ପାରିକରଙ୍କ ସପକ୍ଷରେ ୨୨ ଭୋଟ ପଡିଥିବା ବେଳେ ବିପକ୍ଷରେ ୧୬ ଭୋଟ ପଡିଛି । ଏମଜିପିର ୩, ଜିଏଫପିର ୩, ଏନସିପିର ଜଣେ ଏବଂ ୨ ଜଣ ନିର୍ଦଳୀୟ ବିଧାୟକ ମନୋହର ପାରିକରଙ୍କ ସପକ୍ଷରେ ଅସ୍ଥା ପ୍ରକଟ କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ବିଶ୍ୱଜିତ୍ ରାଣେ ଅସ୍ଥା ଭୋଟ ଦାନରୁ ବିରତ ରହିବା ଫଳରେ ସରକାରଙ୍କ ବିପକ୍ଷରେ ୧୬ ଜଣ ଭୋଟ ଦେଇଛନ୍ତି । ମୋଟ୍ ୪୦ଟି ଆସନରୁ ମ୍ୟାଜିକ ନମ୍ବର ୨୧ ଥିବା ବେଳେ ପାରିକର ୨୨ ବିଧାୟକଙ୍କ ସମର୍ଥନ ହାସଲ କରି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି  । ମଙ୍ଗଳବାର ଦିନ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମନୋହର ପାରିକର । ମୁଖ୍ୟମନ୍ତ୍ରୀଙ୍କ ସହ ୯ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିସାରିଛନ୍ତି  । ଏଥିରେ ବିଜେପିର ମାତ୍ର ୨ଜଣ ମନ୍ତ୍ରୀ ରହିଥିବାବେଳେ ୩ଜଣ ଜିଏଫପି ଓ ୨ଜଣ ମନ୍ତ୍ରୀ ଏମଜିପି ଓ ନିର୍ଦଳୀୟ ୨ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି  ।

ପୂର୍ବରୁ ଫଳାଫଳ ଆସିବା ପପେ ୨୨ବିଧାୟକଙ୍କ ସମର୍ଥନ ସୂଚୀ ନେଇ ରାଜ୍ୟପାଳଙ୍କୁ ଭେଟିଥିଲା ବିଜେପି  । ଜିଏଫପି ଓ ଏମଜିପି ବିଜେପିକୁ ନିଜ ସମର୍ଥନ ଜଣାଇଛନ୍ତି  । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ମନୋହର ପାରିକରଙ୍କୁ ୧୫ ଦିନ ସମୟ ଦେଇଥିଲେ ରାଜ୍ୟପାଳ  । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରିକରଙ୍କୁ ଆଜି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପଡିଛି । ୪୦ଟି ଆସନ ବିଷିଷ୍ଟ ଗୋଆ ବିଧାନସଭାରେ ୧୭ଟି ଆସନ ହାତେଇଥିଲା କଂଗ୍ରେସ  । ତେବେ ସରକାର ଗଠନ ପାଇଁ କଂଗ୍ରେସକୁ ସୁଯୋଗ ଦିଆଯାଇନଥିବା କଂଗ୍ରେସ ଅଭିଯୋଗ ଆଣିଥିଲା ଏବଂ ମନୋହର ପାରିକରଙ୍କ ଶପଥ ଗ୍ରହଣ ଉତ୍ସବରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ତେବେ ସୁପ୍ରିମକୋର୍ଟ ଏଥିରେ ରୋକ ଲଗାଇବା ପାଇଁ ମନା କରିବା ସହ ପାରିକରଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ  ।