ରାଷ୍ଟ୍ରପତିଙ୍କୁ କଂଗ୍ରେସର ଚିଠି : ରାଫେଲର ଗୋପନୀୟତା ଫାଇଲକୁ ନେଇ ମନୋହର ପାରିକରଙ୍କ ଜୀବନ ପ୍ରତି ବିପଦ

220

ମୋଦି ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ କଂଗ୍ରେସ ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତିକୁ ସବୁବେଳେ ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଛି। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବେଡରୁମରେ ରାଫେଲ୍ ଚୁକ୍ତି ବାବଦରେ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ପଡ଼ିରହିଥିବା ସଂକ୍ରାନ୍ତରେ ଏକ ଅଡିଓ ଟେପ୍ ଗଣମାଧ୍ୟମ ସାମ୍ନାକୁ ଆଣି ମୋଦି ସରକାରଙ୍କୁ ଅଡୁଆରେ ପକାଇଥିଲା କଂଗ୍ରେସ। ଏବେ ପାରିକରଙ୍କ ସୁରକ୍ଷା ଉପରେ ଦଳ ପ୍ରଶ୍ନବାଚୀ ଉଠାଇ ପ୍ରସଙ୍ଗକୁ ପୁଣି ତାଜା କରିଦେଇଛି।

ରାଫେଲ୍ ଚୁକ୍ତି ବାବଦରେ ପାରିକରଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଏହା ଦର୍ଶାଇଛି। ରାଷ୍ଟ୍ରପତିଙ୍କ ନିକଟକୁ ଲେଖିଥିବା ଚିଠିରେ ରାଜ୍ୟ କଂଗ୍ରେସ କହିଛି ଯେ ରାଫେଲ୍ ଚୁକ୍ତି ସହ ଜଡ଼ିତ ରହସ୍ୟକୁ କୌଣସିମତେ ଲୋକଲୋଚନକୁ ନଆଣିବା ପାଇଁ ମୋଦି ସରକାର ଚେଷ୍ଟା କରୁଛନ୍ତି। ଏଭଳି କରି ସରକାର ନିଜ ଦୁର୍ନୀତିକୁ ଲୁଚାଇବାକୁ ଚାହୁଛନ୍ତି। ତେଣୁ ଏବେ ପାରିକରଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ରହିଥିବା ନେଇ ଜଣାପଡ଼ିବା ପରେ ଏବେ ତାଙ୍କଠାରୁ ଫାଇଲ୍ ଛଡ଼ାଇବା ପାଇଁ ସମସ୍ତ ଚେଷ୍ଟା କରାଯିବ। ଏହାଦ୍ୱାରା ତାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ଉକ୍ତ ଅଡିଓ ଟେପରେ ହୋଇଥିବା ବାର୍ତ୍ତାଳାପକୁ ଗୋଆ ମୁଖ୍ୟମନ୍ତ୍ରୀ ପାରିକର ଖଣ୍ଡନ କରିଥିଲେ। ତାଙ୍କ ନିକଟରେ ରାଫେଲ୍ ଚୁକ୍ତିର କୌଣସି ଦସ୍ତାବିଜ ନାହିଁ ଏବଂ ଏ ନେଇ ରାଜ୍ୟ ମନ୍ତ୍ରୀ ବିଶ୍ବଜିତ୍ ରାଣେ ଏବଂ ଅନ୍ୟ ଜଣଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ପୂର୍ଣ୍ଣ ମିଛ। ସେମାନେ ଏ ପ୍ରସଙ୍ଗରେ ଆଦୌ କଥା ହୋଇନଥିବା ବୋଲି ପାରିକର କହିଥିଲେ।