ସାଧାରଣ ଜୀବନ ଯାପନ ଓ ସଚ୍ଚୋଟତା ହିଁ ଥିଲା ମନୋହର ପାରିକରଙ୍କ ଅସଲ ପରିଚୟ : ସାଧାରଣ ପୋଷାକରେ ରହୁଥିଲେ, ସ୍କୁଟରରେ ଯାଉଥିଲେ ବିଧାନସଭା

243

ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ରାଷ୍ଟୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆଜି ସକାଳ ପ୍ରାୟ ସାଢେ ୯ଟାରେ ପାରିକରଙ୍କ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶେଷ ଶ୍ରଦ୍ଧାଂଜଳି ଦିଆଯିବ । ଅପରାହ୍ନରେ ଗ୍ରାଉଣ୍ଡରେ ପାରିକରଙ୍କ ଶେଷ ସଂସ୍କାର କରାଯିବ । ସାରା ଦେଶ ପାରିକରଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇବ । ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୬୩ ବର୍ଷୀୟ ପାରିକରଙ୍କର ରବିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ୬୩ ବର୍ଷ ବୟସରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହୋଇଛି । ପାରିକରଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ସ୍କୁଲ ସମୟରୁ ହିଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ପ୍ରତି ଆକୃଷ୍ଟ ହୋଇଥିଲେ ପାରିକର । ସ୍କୁଲ ଶିକ୍ଷା ସରିବା ବେଳକୁ ଆରଏସଏସର ମୁଖ୍ୟ ଶିକ୍ଷକ ହୋଇପାରିଥିଲେ । ମାତ୍ର ୨୬ ବର୍ଷ ବୟସରେ ଆରଏସଏସ୍ ସଂଚାଳକ ହୋଇପାରିଥିଲେ । ରାମ ଜନ୍ମଭୂମି ଆନ୍ଦୋଳନରେ ଦକ୍ଷିଣ ଗୋଆର ନେତୃତ୍ୱ ନେଇଥିଲେ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ପାରିକର ହେଉଛନ୍ତି ଆଇଆଇଟିରୁ ପାସ୍ ହୋଇଥିବା ପ୍ରଥମ ବିଧାୟକ । ଗତବର୍ଷ ତାଙ୍କୁ ଏନଆଇଟି ଗୋଆରୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା ।

ମନୋହର ପାରିକରଙ୍କ ସାଧାରଣ ବ୍ୟକ୍ତିତ୍ୱ ପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ । ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ଅନେକ ଥର ବିଧାନସଭା ଯିବା ସମୟରେ ସେ ଗାଡି ଛାଡି ସ୍କୁଟରରେ ଯାଉଥିଲେ । ଏହା ସହା ସେ ବିନା ସୁରକ୍ଷାରେ କୌଣସି ବି ଷ୍ଟଲରେ ମଧ୍ୟ ଠିଆ ହୋଇ ଚା’ ପିଇବାର ମଧ୍ୟ ଦେଖିବାକୁ ମିଳିଥିଲା । ପାରିକରଙ୍କ ଏହି ଅଭ୍ୟାସ ଗୁଡିକ ଗୋଆର ଲୋକମାନଙ୍କ ପାଇଁ ସାଧାରଣ କଥା ଥିଲା । ମୁଖ୍ୟମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀ ରହିବା ସମୟରେ ମଧ୍ୟ ତାଙ୍କ ଛବିରେ କୌଣସି ଦାଗ ଲାଗି ନଥିଲା । ସାଧାରଣ ନାଗରିକଙ୍କ ପରି ପାରିକରଙ୍କ ଥିଲା ପରିଧାନ । ଏହି ପରିଧାନ ପାଇଁ ମଧ୍ୟ ପରିଚିତ ଥିଲେ ମନୋହର ପାରିକର । ପାରିକର ସାଧାରଣତ ସାର୍ଟ ପ୍ୟାଣ୍ଟରେ ରହୁଥିଲେ । ସେ ଯେକୌଣସି ମିଟିଂ ହେଉ ବା ବଡ ନେତାଙ୍କ କାର୍ଯ୍ୟକ୍ରମ ସେ କେବେ ବି ଜାକଜକମର ପୋଷାକ ପିନ୍ଧିବାକୁ ପସନ୍ଦ କରୁନଥିଲେ । ସବୁବେଳେ ସେହି ସାଧା ପୋଷାକ ପରିଧାନ କରିବାକୁ ପସନ୍ଦ କରୁଥିଲେ । ନିଜ ପୁଅର ବାହାଘରର ମଧ୍ୟ ସେ ଏହିପରି ସାଧାରଣ ପୋଷାକ ପିନ୍ଧି ଅତିଥିମାନଙ୍କୁ ସ୍ୱାଗତ କରୁଥିଲେ । ଏହା ସହ ମନୋହର ପାରିକର ୧୬ରୁ ୧୮ ଘଣ୍ଟା କାମ କରିବାକୁ ପସନ୍ଦ କରୁଥିଲେ ।