ଉଚ୍ଛେଦ ପରେ ଏମିତି ଦିଶିବ ଜଗନ୍ନାଥ ଧାମ । ସାମ୍ନାକୁ ଆସିଲା ପୁରୀର ନୂଆ ନକ୍ସା, ଭକ୍ତଙ୍କ ପାଇଁ ରହିଛି ବିଶେଷ ସୁବିଧା ।

2,056

କନକ ବ୍ୟୁରୋ : ବଦଳିଯିବ ପୁରୀର ନକ୍ସା । ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାର ବ୍ଲୁ-ପ୍ରିଣ୍ଟ ଏବେ ସାମ୍ନାକୁ ଆସିଛି । ପୁରୀବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ବିକାଶର ପ୍ୟାଜେକ ଘୋଷଣା କରିଥିଲେ ତାହାର ରୂପରେଖ ଓଡ଼ିଶାବାସୀଙ୍କ ଆଖି ଝଲସାଇ ଦେବ । ଉଚ୍ଛେଦ ପରେ କେମିତି ଦିଶିବ ଶ୍ରୀକ୍ଷେତ୍ର । ଶ୍ରମୀନ୍ଦିର ଚତୁଃପାଶ୍ୱର୍ରୁ ଯେଉଁ ଉଚ୍ଛେଦ ହେଉଛି ସେହି ସ୍ଥାନରେ କଣ ହେବ? ବିସ୍ଥାପିତଙ୍କୁ କେଉଁଠି ଥଇଥାନ କରାଯିବ? ଏପରିକି ଶ୍ରୀ ସେତୁର ରୂପରେଖ କିଭଳି ରହିବ ତାହାକୁ ନେଇ ଯେଉଁ ପୁରୀବାସୀ ଓ ଭକ୍ତଙ୍କ ମନରେ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ଘୋଷଣା ଅନୁଯାୟୀ ଅବଢା ସ୍କିମରେ ପୁରୀକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପ୍ରୋଜେକ୍ଟରେ ମୋହର ମାରିଛନ୍ତି ନବୀନ ।

ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀରେ ପରିଣତ କରିବା ପାଇଁ ଟ୍ରମ୍ପେଟ ସେତୁ ବା ଶ୍ରୀ ସେତୁ ନିର୍ମାଣ ପାଇଁ ନବୀନ ଘୋଷଣା କରିଥିଲେ । ପ୍ରାୟ ୧୯୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ସେତୁର ପ୍ରସ୍ତାବରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହି ସେତୁର ବ୍ଲୁ-ପ୍ରିଣ୍ଟଏବେ ସାମ୍ନାକୁ ଆସିଛି । ଯାହା ପୁରୀକୁ ବିକାଶର ଆଉ ଗୋଟିଏ ପାଦ ଆଗକୁ ନେବ । ପୁରୀ ବାଇପାସ ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଏହି ସେତୁ ଦ୍ୱାରା ସଂଯୋଗ କରାଯିବ ।

ଜଗନ୍ନାଥ ବଲ୍ଲଭ ମଠକୁ ବିଶ୍ୱସ୍ତରୀୟ କରିବା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଜଗନ୍ନାଥ ବଲ୍ଲଭ ମଠକୁ ଆଖି ଝଲସିବା ଭଳି ଲୁକ୍ ଦିଆଯିବ । ଏଠାରେ ବହୁତଳ ପାର୍କିଂ ସହ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଏହାଛଡା ଯାତ୍ରୀ ମାନେ ଏହି ମଠରୁ ମନ୍ଦିରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ । ଏଥିପାଇଁ ପଏଣ୍ଟ ନିର୍ମାଣ କରାଯିବ । ଏପରିକି ୧୦ ହଜାର ଲୋକଙ୍କ ପାଇଁ ଏଠାରେ ଏକ ଧ୍ୟାନକେନ୍ଦ୍ର ନିର୍ମାଣ କରାଯିବ ।

ଏସବୁ ଭିତରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ୭୫ ମିଟର ଯାଏଁ ଉଚ୍ଛେଦ ପରେ କିଛି ଏମିତି ଦେଖାଯିବ ଜଗନ୍ନାଥ ମନ୍ଦିର । ଜଗନ୍ନାଥ ମନ୍ଦିରର ପଶ୍ଚିମ ଦ୍ୱାରର ଏହି ପ୍ରତୀକାତ୍ମକ ଦୃଶ୍ୟ ଆପଣଙ୍କୁ ନିଶ୍ଚିତ ଭାବେ ବିମୋହିତ କରିବ । ଶ୍ରୀମନ୍ଦିରର ବ୍ୟାଘ୍ର ଦ୍ୱାରରେ କିଛି ପଥରର କଳାକୃତ୍ତି କରାଯିବା ଭକ୍ତଙ୍କ ବସିବା ପାଇଁ ଆରାମଦାୟକ ବ୍ୟବସ୍ଥା କରାଯିବ । ଏହାଛଡା ଏଠାରେ ୧୫ ମିଟରର ଏକ ସର୍ଭିସ ରୋଡ ସହ ପାଦଚଲା ଭକ୍ତଙ୍କ ପାଇଁ ୨୪ ମିଟରର ଏକ ଲମ୍ବା ରାସ୍ତା ରହିବ । ଏହି ଦ୍ୱାରକୁ ଏଭଳି ଭାବେ ସଜ୍ଜିତ କରାଯିବ ଯେ, ଦେଖାଣହାରୀ କିଛି ଚାହିଁ ରହିବାକୁ ବାଧ୍ୟ ହେବେ ।

ଉଚ୍ଛେଦ ପରେ ବିସ୍ଥାପିତଙ୍କୁ ଥଇଥାନ ପାଇଁ ୯୫ କୋଟି ଟଙ୍କା ବ୍ୟୟରେ ସୁଉଚ୍ଛ ବିଲ୍ଡିଂ ନିର୍ମାଣ କରାଯିବ । ମନ୍ଦିର ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ହେବାକୁ ଥିବା ଏହି ବିଲ୍ଡିଂରେ ୬୦୦ ଘର ରହିବ । ଏଥିପାଇଁ ସ୍ଥାନ ଚିହ୍ନଟ ହୋଇସାରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ ହେବ ।

ରଘୁନନ୍ଦନ ଲାଇବ୍ରେରୀ ଉଚ୍ଛେଦ ବେଳେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ଏତେ ବର୍ଷ ତଳର ଲାଇବ୍ରେରୀକୁ ଭାଙ୍ଗି ଓଡ଼ିଶାର ଐତିହ୍ୟକୁ ନଷ୍ଟ କରାଯାଉଛି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । ତେବେ ଏହି ପ୍ରୋଜେକ୍ଟରେ ରଘୁନନ୍ଦନ ଲାଇବ୍ରେରୀର ନବକଳେବର କରାଯିବ । ୩ ମହଲା ବିଶିଷ୍ଟ ଏହି ଲାଇବ୍ରେରୀରେ ଓଡ଼ିଶା ଐତିହ୍ୟ ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ । ଆଉ ଏଠାରେ ଜଗନ୍ନାଥ ସଂସ୍କୃତିର ଗବେଷଣା ଉପରେ ଗୁରୁତ୍ୱ ଦିଆଯିବ । ଏମାର ମଠର ଅଳ୍ପ କିଛି ସ୍ଥାନରେ ୨୫ କୋଟି ବ୍ୟୟରେ ଏହି ଲାଇବ୍ରେରୀ ନିର୍ମାଣ କରାଯିବ । ସବୁଠୁ ବଡ କଥା ହେଲା ଏହାର ଉପର ମହଲାରେ ଭିଉ ପଏଣ୍ଟ ନିର୍ମାଣ କରାଯିବ । ଯେଉଁଠାରୁ ପୁରୀର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ ଭକ୍ତ ।

ଏହାପୂର୍ବରୁ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢି ତୋଳିବା ସହ ଏହାର ସୁରକ୍ଷା ପାଇଁ ୫୦୦ କୋଟି ଟଙ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାଛଡା ପୁରୀର ଭିତ୍ତିଭୂମି ବିକାଶ ପାଇଁ ୨୬୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଥିଲେ । ଏହାଛଡା ଉଚ୍ଛେଦ ପ୍ରକ୍ର୍ରିୟାରେ ସମସ୍ତଙ୍କୁ ସହଯୋଗ ପାଇଁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଆଜି ନିର୍ମାଣ ହେବାକୁ ଥିବା ପୁରୀର ନୂଆ ନକ୍ସା ଉପରେ ମୋହର ମାରିଛନ୍ତି ନବୀନ ।