ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡା ବଦଳରେ ଦିଅନ୍ତୁ ପୁସ୍ତକ ! ଏଭଳି ନିଆରା ବାର୍ତ୍ତା ଦେଲେ ଆଇପିଏସ ଅଫିସର ।

55

ଜ୍ଞାନ ହିଁ ଶକ୍ତି । ଏହି ଭାବନାକୁ ମନରେ ରଖି ପୁନେ ଗ୍ରାମାଞ୍ଚଳର ନବନିଯୁକ୍ତ ପୁଲିସ୍ ସୁପରିଟେଣ୍ଡେଣ୍ଟ ସନ୍ଦିପ ପାଟିଲ୍ ତାଙ୍କର ଶୁଭେଚ୍ଛୁମାନଙ୍କୁ ଏକ ଯୁଗୋପଯୋଗୀ ଅନୁରୋଧ କରିଛନ୍ତି । ପାଟିଲ୍ ନିକଟରେ ସତାରାରୁ ପୁନେ ସ୍ଥାନାନ୍ତର ହୋଇଛନ୍ତି । ଏହି ଅବସରରେ ପାଟିଲଙ୍କୁ ସ୍ୱାଗତ କରିବା ପାଇଁ ପୁନେଠାରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା । ଅନ୍ୟ ସବୁ ଉତ୍ସବ ପରି ପାଟିଲଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ଅତିଥିମାନେ ଉପହାର ଧରି ଆସିଥିଲେ । ଏହାବ୍ୟତୀତ ପାରମ୍ପରିକ ଭାବେ ଫୁଲତୋଡ଼ା ବି ନେଇକରି ଆସିଥିଲେ ।

ପାଟିଲ୍ କିନ୍ତୁ ଏହି ଉତ୍ସବକୁ ଏକ ସୁଯୋଗ ଭାବେ ଗ୍ରହଣ କଲେ । ନକ୍ସଲ ଅଧ୍ୟୁଷିତ ଜିଲ୍ଲା ଗଡଚିରୋଲିରେ ଶିକ୍ଷାର ଶକ୍ତି ବୁଝାଇବା ପାଇଁ ସେ ଚିନ୍ତା କଲେ । ଫଳରେ ପାଟିଲ୍ ତାଙ୍କର ଶୁଭେଚ୍ଛୁମାନଙ୍କୁ ଫୁଲତୋଡ଼ା ବଦଳରେ ପୁସ୍ତକ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆଇପିଏସ୍ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ‘ଏପରି ଭାବେ ଜନ ସମାଗମ ମୋ ପାଇଁ ଦ୍ୱିତୀୟ ଥର ପାଇଁ ହେଉଛି । ପୂର୍ବରୁ ୨୦୧୬ ମସିହାରେ ମୁଁ ଯେତେବେଳେ ଏସପି ଭାବେ ନିଯୁକ୍ତି ପାଇଥିଲି ସେତେବେଳେ ବି ମୁଁ ଫୁଲ ବଦଳରେ ବହି ଗ୍ରହଣ କରିଥିଲି । ତା’ପରେ ସେହି ବହିକୁ ଜିଲ୍ଲାର ଛାତ୍ର ଓ ଯୁବକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲି ।’