ପିଏନବି ଫ୍ରଡର ଓଡ଼ିଆ ଲିଙ୍କ୍ ! ମେହୁଲ୍ ଚୋକସିଙ୍କ ଗୀତାଞ୍ଜଳି ଜୁଏଲର୍ସ ସହ ହୋଇଥିବା ଚୁକ୍ତିର କଣ ହେବ ଭାଗ୍ୟ ?

31

କନକ ବ୍ୟୁରୋ : ଗିରଫ ଭୟରେ ଭଣଜା ନିରବ ମୋଦିଙ୍କ ସହ ବିଦେଶ ପଳାଇଥିବା ଗୀତାଞ୍ଜଳି ଜେମସର ମାଲିକ ମେହୁଲ୍ ଚୋକସିଙ୍କ ସହ ଓଡ଼ିଶା ସରକାରଙ୍କ ବ୍ୟାବସାୟିକ ସଂପର୍କ ନେଇ ଏବେ ଉଠିଛି ପ୍ରଶ୍ନ । ଓଡ଼ିଶା ସରକାର କଟକ ବାରଙ୍ଗ ନିକଟସ୍ଥ ରାମଦାସପୁରଠାରେ ଚୋକସିଙ୍କ ଗୀତାଂଜଳି ଜେମସକୁ ୧୦୦ ଏକର ଜାଗା ଦେବାକୁ ସ୍ଥିର କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବର୍ଷ ତଳେ ଏଥିପାଇଁ ଶିଳାନ୍ୟାସ କରିଥିଲେ । ପରିବର୍ତିତ ପରିସ୍ଥିତିରେ ୬୭୫ କୋଟି ଟଙ୍କାର ଏହି ଜେମସ ଓ ଓ ଜ୍ୱେଲରୀ ପାର୍କ ପ୍ରତିଷ୍ଠା ନେଇ ଏବେ ସନ୍ଦେହ ଉଠିଛି । ଏଭଳି ଏକ ସଂସ୍ଥା ସହ ହାତ ମିଳାଇବା ପୂର୍ବରୁ ଓଡ଼ିଶା ସରକାର ସେ ସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ କି ନାହିଁ ଉଠିଛି ପ୍ରଶ୍ନ ।

ନଭେମ୍ବର ୨୬, ୨୦୧୬ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରଙ୍ଗ ରାମଦାସପୁରରେ ଗୀତାଂଜଳି ଜେମସ, ଜୁଏଲର୍ସ ଓ ଲାଇଫ୍ ଷ୍ଟାଇଲ୍ ପାର୍କ ପ୍ରତିଷ୍ଠା ପାଇଁ କରିଥିଲେ ଶିଳାନ୍ୟାସ । ପାଖରେ ଉପସ୍ଥିତ ଥିଲେ ତତକାଳୀନ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଗୀତାଂଜଳି ଜେମସର ପଦସ୍ଥ ଅଧିକାରୀ । ଲକ୍ଷ୍ୟ ଥିଲା ୧୦୦ ଏକର ଜମିରେ ଜେମସ ଓ ଜୁଏଲରୀ ପାର୍କ ପ୍ରତିଷ୍ଠା । ଏହାଦ୍ୱାରା ୭ ବର୍ଷରେ ୧୬ ହଜାର ଲୋକ ଚାକିରି ପାଇବେ ବୋଲି ଆକଳନ କରାଯାଇଥିଲା । ୨୦୧୬ ମସିହା ଫେବ୍ରୁଆରୀ ମାସରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା “ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ । ଓଡ଼଼ିଶାରେ ଏଭଳି ଏକ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଗୀତାଂଜଳି ଜେମସକୁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଶିଳାନ୍ୟାସ କରିବାର ପ୍ରାୟ ୬ ପରେ ରାମଦାସପୁରରେ ଇଡକୋ ପକ୍ଷରୁ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା । ମାତ୍ର ଏହି ଜମି ହସ୍ତାନ୍ତରକୁ ବିରୋଧ କରିଥିଲେ ସ୍ଥାନୀୟ ଦଳିତ ଓ ଆଦିବାସୀ ଲୋକେ । ଦୁଇ ବର୍ଷ ତଳୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନସ କମିଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁଦ୍ଧା କାମ ଆଗେଇ ପାରିନଥିଲା । ଏବେ ପ୍ରଶ୍ନ ଉଠୁଛି ୧୧ ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ମାମଲାରେ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍ ଚୋକସିଙ୍କ ନାଁରେ ସିବିଆଇ ଓ ଇଡି ମାମଲା ରୁଜୁ କରି ସେମାନଙ୍କ ସମ୍ପତି ଜବତ କରୁଥିବା ବେଳେ ଓଡ଼ିଶା ସରକାର ଏହି ପ୍ରକଳ୍ପକୁ ବାତିଲ କରିବେ ତ? ଚୋକସିଙ୍କ ଗୀତାଂଜଳି ଗ୍ରୁପ୍ ସହ ରାଜିନାମା କରିବା ପୂର୍ବରୁ ଓଡ଼ିଶା ସରକାର ସବୁ କଥା ତନଖି କରିଥିଲେ ତ ?