ଜଗା ପାଇଁ ପାଟ ବୁଣାରେ ବ୍ୟସ୍ତ ବୁଣାକାର : ଚଳଚଂଚଳ ଖୋର୍ଦ୍ଧା ରାଉତପଡ଼ାର ତନ୍ତଶାଳ

180

କନକ ବ୍ୟୁରୋ : କୁହାଯାଏ, ପ୍ରଭୁ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ଭାଗ୍ୟବାନ ଓ ପୂର୍ବଜନ୍ମର ପୁଣ୍ଣ୍ୟକର୍ମ ଫଳରେ ମିଳିଥାଏ । ଆଉ ଏଭଳି ସୁଯୋଗ ମିଳିଛି ଖୋର୍ଦ୍ଧା ଜିିଲ୍ଲା ରାଉତପଡ଼ା ବୁଣାକାର ପରିବାରକୁ । ଗାଁର ୨୦ ବୁଣାକାର ପରିବାର ରଥଯାତ୍ରା ସମୟରେ ବଡଠାକୁର ବଳଭଦ୍ର, ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ବ୍ୟବହାର ପାଇଁ ଗୀତଗୋବିନ୍ଦ ପାଟ ସହ ସମସ୍ତ ବସ୍ତ୍ର ଯୋଗାଇଥାନ୍ତି ।

ଭଳିକି ଭଳି ପାଟ ଓ ଲୁଗାବୁଣାରେ ବ୍ୟସ୍ତ ବୁଣାକାର । ଚଳଂଚଳ ତନ୍ତଶାଳ । ରଥଯାତ୍ରା ପାଖେଇ ଆସିବାରୁ କୁଶଳୀ ହାତରେ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗବସ୍ତ୍ର ତିଆରିରେ ବ୍ୟସ୍ତ ଖୋର୍ଦ୍ଧା ଜିିଲ୍ଲା ରାଉତପଡ଼ା ୨୦ ବୁଣାକାର ପରିବାର । ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର ତିଆରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପାଖରୁ ଅନୁମତି ମିଳିବା ପରେ ପତନୀ, ଗଦିପେଟା, ମଲମଲ, ଛିଟ ଲୁଗା ସହ ଗୀତଗୋବିନ୍ଦ ପାଟ ବୁଣିବାରେ ଲାଗିପଡିଛନ୍ତି ବୁଣାକାର ।

ମହାପ୍ରଭୁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରିଥାନ୍ତି । ରବିବାର ଦିନ ନାଲି, ସୋମବାର ଧଳା, ମଂଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଧଳାସୁତା ଓ ଶନିବାର କଳାପାଟ ପରିଧାନ କରିଥାନ୍ତି ଚତୁର୍ଦ୍ଧାବିଗ୍ରହ । କିନ୍ତୁ ପ୍ରଭୁଙ୍କ ସବୁଠାରୁ ପ୍ରିୟପାଟ ହେଉଛି ଗୀତଗୋବିନ୍ଦ ପାଟ । ଯାହାକୁ ବଡ଼ସିଂହାର ବେଶରେ ପରିଧାନ କରିଥାନ୍ତି ମହାପ୍ରଭୁ ।

ମହାପ୍ରଭୁଙ୍କ ବସ୍ତ୍ର ଯୋଗାଇବା ପାଇଁ ୧୯୯୦ ମସିହାରୁ ରାଉତପଡ଼ା ବୁଣାକାର ପରିବାରକୁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେବେଠାରୁ ଲଗାତାର ଭାବେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଅଂଗବସ୍ତ୍ର ଯୋଗାଇ ଆସୁଛନ୍ତି ଗ୍ରାମବାସୀ । ୧୨ ହାତି ଗଡ଼ା, ୧୬ ହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୂଖ ହୋତା, ଟଣାଠେସା ବସ୍ତ୍ର ଯୋଗାଇ ନିଜକୁ ଧନ୍ୟ ମନେକରୁଛନ୍ତି ଗ୍ରାମବାସୀ ।