କଟକ ଆନନ୍ଦ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା ! ଆସନ୍ତା ୧୭ ତାରିଖରେ ରାଷ୍ଟପତିଙ୍କ ଗସ୍ତ ପୂର୍ବରୁ ନିଜ ଘରକୁ ବୁଲି ଆସିଲେ ଗୀତା

59

କନକ ବ୍ୟୁରୋ: କଟକ ଆନନ୍ଦ ଭବନରେ ପହଁଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟା । ଆସନ୍ତା ୧୭ ତାରିଖରେ ବିଜୁ ବାବୁଙ୍କ ସ୍ମୃତିରେ ଆନନ୍ଦ ଭବନକୁ ସଂଗ୍ରହାଳୟ ଭାବେ ଉଦଘାଟନ କରିବେ ରାଷ୍ଟ୍ରପତି । ଆଉ ତାପୂର୍ବରୁ ଆଜି ପୈତୃକ ବାସଭବନ ବୁଲି ଦେଖିଲେ ଗୀତା । ଏବଂ ମନେ ପକାଇଥିଲେ କିଭଳି ସେହିଘରେ କଟିଥିଲା ତାଙ୍କର ପିଲାଦିନ ।

ଆସନ୍ତା ୧୭ ତାରିଖ ଦିନ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ନେଇ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ସଂଗ୍ରହାଳୟର ପ୍ରସ୍ତୁତିକୁ ବୁଲି ଦେଖିଲେ ଗୀତା । ତେବେ ଆନନ୍ଦ ଭବନରେ ପହଁଚିବା ପରେ ଭାବୁକ ହୋଇ ଉଠିଥିଲେ ବିଜୁବାବୁଙ୍କ ଝିଅ । ଦୀର୍ଘ ଦିନ ପରେ ଏହି ଘରକୁ ଦେଖୁଥିବାରୁ ଛୋଟ ବେଳର କଥା ମନେ ପଡିଯାଇଥିଲା । କାରଣ ବାପା ବିଜୁ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକ, ବଡ଼ ଭାଇ ପ୍ରେମ ପଟ୍ଟନାୟକ, ସାନ ଭାଇ ନବୀନ ପଟ୍ଟନାୟକଙ୍କ ସହ ଏଠାରେ ତାଙ୍କର ପିଲାଦିନ କଟିଥିଲା ।

ବିଜୁବାବୁଙ୍କ ଆଦ୍ୟ ଜୀବନ ଓ କର୍ମମୟ ଜୀବନର ଅନେକ ସମୟ କଟିଥିଲା ଏହି ଆନନ୍ଦ ଭବନରେ । ବିଜୁବାବୁଙ୍କ ଜୀବନର ଅନେକ କାହାଣୀ ଯୋଡି ହୋଇ ରହିଛି ଏଠାରେ । ଏହିସବୁ ସ୍ମୃତିରାଜିକୁ ନେଇ ଏଠାରେ ହେବାକୁ ଯାଉଛି ସଂଗ୍ରହାଳୟ । ଏହା ସହ ଏକ ପାଠାଗାର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଏହାର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି । ଏବେ ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ ହେବାକୁ ଯାଉଛି ଆନନ୍ଦ ଭବନ ।