ଉଚ୍ଚତା କମ ହେବା କାରଣରୁ ଛାତ୍ରୀଙ୍କୁ ପୋଲିସ ବିଭାଗରେ ମିଳିଲାନି ଚାକିରି ! ହକ୍ ଫେରି ପାଇବାକୁ ଉପବାସ କରିଲେ ଛାତ୍ରୀ

44

ମଧ୍ୟପ୍ରଦେଶ ପୋଲିସ ପଦ ପାଇଁ ଭର୍ତ୍ତି ହେବାକୁ ପ୍ରାର୍ଥୀ ଚୟନ କରାଯାଉଥିବା ସମୟରେ ଉଚ୍ଚତା କମ ଥିବା କାରଣରୁ କେତେକ ଝିଅଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏଥିରେ ଅସନ୍ତୋଷ ହୋଇ ଝିଅ ମାନେ ସୋମବାର ଦିନ ରାଜଧାନୀର ଶାହଜାହାଙ୍ଗୀ ପାର୍କରେ ଧାରଣା ଦେବା ସହ ସାମୁହିକ ଉପବାସ ରଖି ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଛାତ୍ରୀଙ୍କ ନେତୃତ୍ୱ ନେଇଥିବା ପ୍ରୀତି ଶର୍ମାଙ୍କ କହିବା ଅନୁସାରେ, ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ପୂର୍ବରୁ ଘୋଷଣା କରିଥିଲେ ପୁଲିସରେ ଭର୍ତ୍ତି ହେବାରେ ଇଚ୍ଛୁକ ମହିଳା ମାନଙ୍କ ପାଇଁ ଉଚ୍ଚତାରେ କୋହଳ କରାଯିବ । କିନ୍ତୁ ଏହା ଲାଗୁ ହେଲା ନାହିଁ । କେବଳ ଉଚ୍ଚତା କମ ହେବା କାରଣରୁ ଛାତ୍ରୀ ମାନଙ୍କୁ ଅଯୋଗ୍ୟ ବିବେଚିତ କରାଗଲା । ସେ ଏହା ମଧ୍ୟ କହିଛନ୍ତି, ଏହି ମହିଳା ମାନେ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ କରିବା ପରେ ମଧ୍ୟ ଉଚ୍ଚତାକୁ କେନ୍ଦ୍ର କରି ଅଯୋଗ୍ୟ ବିବେଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମହିଳାଙ୍କ ପାଇଁ ଉଚ୍ଚତା କ୍ଷେତ୍ରରେ କୋହଳ କରିବାକୁ ଘୋଷଣା କରିଥିଲେ ମଧ୍ୟ ୧୫୮ ସେଣ୍ଟିମିଟରରୁ ମାତ୍ର ୩ ସେଣ୍ଟିମିଟର ଉଚ୍ଚତା କମିଯିବା କାରଣରୁ ମହିଳା ମାନଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦିଆଗଲା ନାହିଁ । ତେଣୁ ଯେପର୍ଯ୍ୟନ୍ତ ଛାତ୍ରୀମାନଙ୍କ ଦାବି ପୁରଣ ନହୋଇଛି, ସେପର୍ଯ୍ୟନ୍ତ ଉପବାସ ଜାରି ରହିବ ।

ସୂଚନା ଅନୁଯାୟୀ, ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ଚୌହାନ ଘୋଷଣା କରିଥିଲେ, ରାଜ୍ୟରେ ବଢୁଥିବା ଗୁଣ୍ଡାଗର୍ଦ୍ଦିକୁ ବନ୍ଦ କରିବା ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପୋଲିସରେ ଭର୍ତ୍ତି କରାଯିବ । ଏଥିପାଇଁ ଆବଶ୍ୟକୀୟ ଉଚ୍ଚତା ୧୫୮ ସେଣ୍ଟିମିଟରକୁ କୋହଳ କରିବାକୁ ଘୋଷଣା କରିଥିଲେ ଶିବରାଜ । କିନ୍ତୁ କେତେ ସେଣ୍ଟିମିଟର କମାଯିବ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନଥିଲେ । ଆଉ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।