ମହିଳାଙ୍କୁ ନାପସନ୍ଦ ଚାଷୀ । ବିବାହ ପାଇଁ ବାଧ୍ୟ ହୋଇ ଚପରାସୀ ବୃତ୍ତି ଆପଣାଉଛନ୍ତି ଏହିରାଜ୍ୟର ଯୁବକ

30

ଚାଷୀଙ୍କୁ ପସନ୍ଦ କରୁନାହାନ୍ତି ଝିଅ । ରୋଜଗାର କେଉଁ ଅଫିସର ଠାରୁ ବି କମ ନୁହେଁ । ଏଠାରେ ଚାଷୀମାନେ ସ୍ୱୟଂ ସଂପୂର୍ଣ୍ଣ । ତଥାପି ଝିଅମାନେ ଭାବୁଛନ୍ତି ଏହି ଯୁବକମାନେ ତାଙ୍କ ପାଇଁ ଯୋଗ୍ୟ ନୁହନ୍ତି । ଆଉ ବିବାହ କରିବାକୁ ମନାକରିଦେଉଛନ୍ତି । କେବଳ ସେତିକି ନୁହେଁ ଘରୋଇ କମ୍ପାନୀରେ ପିଅନ ଚାକିରି କରୁଥିବା ପିଲାଙ୍କୁ ଝିଅମାନେ ଅଧିକ ପସନ୍ଦ କରୁଥିବାରୁ ଚାଷ କରୁଥିବା ଯୁବକମାନେ ବିବାହ କରିପାରୁନାହାନ୍ତି । ଏହାକୁ ଦୁର୍ଭାଗ୍ୟ କହିବାକୁ ପଛାଇନାହାନ୍ତି ମହାରାଷ୍ଟ୍ରର ଯୁବଚାଷୀ ।

ବିଦର୍ଭର ସାଙ୍ଗଲି ଗାଁର ୩୨ବର୍ଷିୟ ସାଭଲ ନିଜ ମନର କଥା କହିଛନ୍ତି । ଏହି ଯୁବ ଚାଷୀ ଜଣକ ମାସକୁ ୨୦ହଜାର ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର ଜଳସେଚିତ ହେଉଥିବା ୮ଏକର ଜମି ରହିଛି । ସେ ଲାଇବ୍ରେରୀ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ସାରିଛନ୍ତି । ତା ସହ ଏଜୁକେଶନରେ ବି ଡିପ୍ଲୋମା କରିଛନ୍ତି । କିନ୍ତୁ ଗତ ୪ବର୍ଷ ହେଲା ବିବାହ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି ।

ସେହିଭଳି ଆଉ ଜଣେ ଯୁବ ଚାଷୀ ହେଉଛନ୍ତି କିଶୋର । ସେ ବିବାହ ପାଇଁ ୩୦ ପରିବାରକୁ ଯାଇ ଝିଅ ଦେଖିଲେଣି । କିନ୍ତୁ ସମସ୍ତେ ବାହାଘର ପାଇଁ ମନାକରିଦେଇଛନ୍ତି । ଝିଅ ପରିବାରମାନେ କହୁଛନ୍ତି ଘରୋଇ ହେଉ କିମ୍ବା ସରକାରୀ ପିଅନ ଚାକିରି ହେଲେ ବିବାହ କରିବାକୁ ପ୍ରସ୍ତୁତ କିନ୍ତୁ ଚାଷୀକୁ ଝିଅ ଦେବାକୁ ମନାକରିଦେଉଛନ୍ତି । କିଶୋର କେବଳ ଜଣେ ଲେଖାପଢା ଜାଣିଥିବା ଝିଅ ଚାହୁଁଛନ୍ତି । ତା ସହ ସେ ନିଜର କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି । ବିବାହ ପାଇଁ ଗତ ୪ ବର୍ଷର ଚେଷ୍ଟା ମତେ ଚାଷ ଛାଡିବାକୁ ବାଧ୍ୟ କରିଛି । ଚାଷ ଛାଡି ପିଅନ ଚାକିରି କରିବାକୁ ଭାବୁଥିବା ସେ କହିଛନ୍ତି ।

କେବଳ ମହାରାଷ୍ଟ୍ର ନହେଁ ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟଏଭଳି ସମସ୍ୟା ଦେଖିବାକୁ ମିଳୁଛି । କର୍ଣ୍ଣାଟକର ବେଲଗାଁଓ ଜିଲ୍ଲା ଗଲାଡଗାବାଡି ଗାଁର ଚାଷୀ ବିଶ୍ୱାସ ବେଲେକର ମଧ୍ୟ ସମାନ ପରିସ୍ଥିତି ସାମ୍ନା କରିଛନ୍ତି । ସେ ଟୋବାକୋ ଚାଷ କରୁଛନ୍ତି । ତାଙ୍କର ଗୋଟିଏ ପୁଅ । କିନ୍ତୁ ବିବାହ ପାଇଁ ତାଙ୍କ ପୁଅକୁ ଚାଷ ଛାଡିବାକୁ ପଡିଛି । ସେ ଏବେ ଏକ ରୂପା କମ୍ପାନୀରେ ସାମୟିକ ଭାବେ ଚାକିରି କରିଥିଲେ । ବିବାହ ପରେ ସେ ପୁଣି ଚାଷ କରୁଛନ୍ତି । କିନ୍ତୁ ତାଙ୍କର ଦୁଇ ଭଉଣୀ ବନିତା ଓ ସବିତା ମଧ୍ୟ ଚାଷୀକୁ ବିବାହ କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।