ରାଜସ୍ଥାନରୁ ଉଦ୍ଧାର ସୁନ୍ଦରଗଡର ନାବାଳିକା: ବେପରୁଆ ଓଡ଼ିଶା ପୁଲିସକୁ ଦିଲ୍ଲୀ ମହିଳା କମିଶନରଙ୍କ ଭତ୍ସନା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ

189

କନକ ବ୍ୟୁରୋ: ୨୦୧୭ରେ ରାଉରକେଲାରୁ ନିଖୋଜ ଜଣେ ନାବାଳିକାକୁ ଖୋଜି ଖୋଜି ଦିଲ୍ଲୀରେ ପହଂଚିଥିଲେ ତାର ବାପା । ଅଭିଯୋଗ ନାବାଳିକାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ ଓଡ଼ିଶା ପୁଲିସ, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ କିମ୍ବା ଶିଶୁ ମଙ୍ଗଳ ବିଭାଗ । ଆଉ ନ୍ୟାୟ ଆଶାରେ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ନିଖୋଜଙ୍କ ବାପା ।

ଅଭିଯୋଗ ହେଲା, ବାପା କାମକୁ ଯାଇଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟମାନେ ରାଜସ୍ଥାନର କିଷନ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କୁ ୪ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ । ପରେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କୁ ନାବାଳିକାଙ୍କ ବିବାହ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା । ଅସହାୟ ବାପା ଲାଠିକଟା ପୁଲିସରେ ବାରମ୍ବାର ନେହୁରା ହୋଇ ଝିଅକୁ ଫେରାଇ ଆଣିବାକୁ ଗୁହାରୀ କରିଥିଲେ । ଦୁଇ ବର୍ଷ ବିତି ଯାଇଥିଲେ ବି ଝିଅ ଉଦ୍ଧାର ହେବା ସମ୍ଭାବନା ନପାଇ ଜଣେ ବ୍ୟକ୍ତିଙ୍କ ସହାୟତାରେ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମାମଲାଟି ଦିଲ୍ଲୀର ନହୋଇ ଥିଲେ ବି ମାନବିକତା ଦୃଷ୍ଟିରୁ ହସ୍ତକ୍ଷେପ କରିଥିଲେ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ନାବାଳିକାଙ୍କୁ ଉଦ୍ଧାର ପାଇଁ ଏକ ଟିମ ଗଠନ କରି ରାଜସ୍ଥାନ ଝୁନ ଝୁନ ଅଂଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ଓଡ଼ିଶା ପୁଲିସ ବେପରୁଆ ମନୋଭାବକୁ ଭତ୍ସ୍ନା କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ଏହି ଘଟଣାରେ ଓଡ଼ିଶା ପୁଲିସର ପ୍ରତିକ୍ରୀୟା ହସ୍ତଗତ ହୋଇପାରିନାହିଁ ।