ଭୋକରେ ଜୀବନ ହାରିଲା ନାବାଳିକା ! ଆଧାର ସହ ଲିଙ୍କ୍ ନହୋଇ ପାରିବାରୁ ରଦ୍ଦ ହୋଇଯାଇଥିଲା ରାସନ କାର୍ଡ଼

58

କନକ ବ୍ୟୁରୋ : ଲୋକଙ୍କ ହିତ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଅନେକ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ଦ୍ଵାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି । ଖଟିଖିଆ, ଦିନମଜୁରିଆ, ବୃଦ୍ଧ, ଭିନ୍ନକ୍ଷମଲୋକ, ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ପାଇଁ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ବ୍ୟବସ୍ଥା ରହିଛି । ତେବେ ଏହି ଯୋଜନା ଗୁଡ଼ିକ କେତେ କାର୍ଯ୍ୟକାରୀ ହେଉଛି ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏତେ ଯୋଜନା ସତ୍ୱେ ଝାଡ଼ଖଣ୍ଡରେ ଜଣେ ନାବାଳିକା ଭୋକରେ ଜୀବନ ହାରିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ସିମଡ଼େଗା ଜିଲ୍ଲା କରିମତି ଗାଁରେ , ଯେଉଁଠି ୨୮ ସେପ୍ଟମ୍ବରରେ ସନ୍ତ୍ରୋଷୀର ମୃତ୍ୟୁ ହୋଇଥିଲା ।

ଭୋକରେ ବାଳିକାର ଜୀବନର ଗଲା । ଝାଡ଼ଖଣ୍ଡର ୧୧ ବର୍ଷୀୟା ନାବାଳିକା ସନ୍ତୋଷୀ କୁମାରୀଙ୍କ ମୃତ୍ୟୁ ପରେ ହଙ୍ଗମାରେ ସୃଷ୍ଟି ହୋଇଛି । ରାସନ କାର୍ଡ଼ ରଦ୍ଦ ହେବା ଯୋଗୁଁ ବାଳିକାଟି କିଛି ନଖାଇ ମୃତ୍ୟୁ ବରଣ କରିଛି ବୋଲି ଦାବି କରିଛନ୍ତି ପରିବାର ଲୋକ । ପରିବାର ସହ ମିଳିତ ରୂପେ କିଛି ସଂଗଠନ ଦାବି କରିଛନ୍ତି ତାଙ୍କ ପାଖରେ ଥିଲା ରାସନ କାର୍ଡ଼ ଯାହାକୁ ସେମାନେ ଆଧାର ସହ ଲିଙ୍କ କରିପାରିନଥିଲେ । ଅଧାର ସହ ଲିଙ୍କ ନହୋଇ ପାରିବାରୁ ରାସନ କାର୍ଡକୁ ରଦ୍ଦ କରି ଦିଆଯାଇଥିଲା ।

ସନ୍ତୋଷୀଙ୍କ ମା’ ମିଡ଼ିଆକୁ କହିଛନ୍ତି ଫେବୃୟାରୀ ମାସରୁ ତାଙ୍କୁ ରାସନ ମିଳୁନାହିଁ । ସେବେଠାରୁ ତାଙ୍କ ପୁରା ପରବାର ଭୋକ ବିକଳରେ ଦିନ କାଟୁଥିଲା । ସ୍କୁଲ ଯାଉଥିବାରୁ ସନ୍ତୋଷୀକୁ ମଧ୍ୟାହ୍ନ ଭୋଜନରେ ଗୋଟିଏ ବେଳର ଖାଦ୍ୟ ମିଳିଯାଉଥିଲା ।  କିନ୍ତୁୁ ସେପ୍ଟେମ୍ବର ମାସ ଶେଷରେ ଦୁର୍ଗାପୂଜା ଯୋଗୁଁ ସ୍କୁଲ ବନ୍ଦ ହୋଇଗଲା ଏବଂ ଏହି ସମୟ ମଧ୍ୟରେ ହିଁ ସନ୍ତୋଷୀର ମୃତ୍ୟୁ ହୋଇଥିଲା । ଉକ୍ତ ଅଂଚଳର ବିକାଶ ଅଧିକାରୀ ସଞ୍ଜୟ କୁମାର କହିଛନ୍ତି, ମୁୁଁ ସ୍ୱୀକାର କରୁଛି ପରିବାରର ରାସନ କାର୍ଡ଼ ରଦ୍ଦ ହୋଇଯାଇଛି । କିନ୍ତୁ ସନ୍ତୋଷୀର ମୃତ୍ୟୁ ଭୋକ ବିକଳରେ ନୁହେଁ ମ୍ୟାଲେରିଆ ଯୋଗୁଁ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ସନ୍ତୋଷୀର ମା’ଙ୍କ କହିବା ଅନୁସାରେ ଘଟଣା ଦିନ ସନ୍ତୋଷୀର ପେଟରେ ଯନ୍ତ୍ରଣା ହେଉଥିଲା । ଏବଂ ଯନ୍ତ୍ରଣାର ୨୪ ଘଂଟା ମଧ୍ୟରେ ସେ ମୃତ୍ୟୁ ବରଣ କରିଥିଲା । ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେବେ ପରିବାର ଲୋକ ଆଧାର କାର୍ଡ଼କୁ ହିଁ ଏଥିପାଇଁ ଦାୟୀ କରିଛନ୍ତି ।

ସୌଜନ୍ୟ – ହିନ୍ଦୁସ୍ତାନ ଟାଇମ୍ସ